Unknown

 

 

 

 

 

 

 

 

 

 

 

ଭୂତକୋଠି

ଶ୍ରୀମତୀ ବୀଣା ଦେବୀ

 

ଏ ବହି ବିଷୟରେ

 

ବହୁ ମହଲରେ ଆଲୋଚନା କ୍ରମେ ପିଲାଙ୍କ ପାଇଁ ଲେଖା ବହି କଥା ପଡ଼ି ଥିଲା । ଜଣେ ମତପ୍ରକାଶ କଲେ ଯେ, ଶସ୍ତା ଧରଣର ଗୋଏନ୍ଦା ଗପ ପଢ଼ି ପଢ଼ି ଆଜିକାଲିର ପିଲାମାନେ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଜିଜ୍ଞାସୁ ମନ ନେଇ ରହସ୍ୟରୋମାଞ୍ଚ ଗପ ପଢ଼ିବାକୁ ଚାହିଁବା ପିଲାଙ୍କ ପକ୍ଷରେ କିଛି ନୂଆ ନୁହେଁ କି ବିଚିତ୍ରବି ନୁହେଁ । ବିଶେଷ କରି କିଶୋର କିଶୋରୀମାନଙ୍କ କଥା ଦେଖିଲେ, ବିଷୟଟିର ସତ୍ୟତା ଉପଲବ୍ଧି କରିହେବ ।

 

ସେଇ ଆଲୋଚନାରୁ ଏ ଗପଟି ପିଲାଙ୍କ ପାଇଁ ଲେଖିବାର ପ୍ରେରଣା ପାଇ ଥିଲି । ରହସ୍ୟରୋମାଞ୍ଚ ଥିଲେବି ହତ୍ୟାକାଣ୍ଡ ପ୍ରଭୃତିର ଅବତାରଣା ଏଥିରେ କରାଯାଇ ନାହିଁ ଇଚ୍ଛା କରି । ପୁଣି ଗପର ନାୟକ ଓ ଅଧିକାଂଶ ଚରିତ୍ର ମଧ୍ୟ ହେଲେ ସେଇ ପିଲାଏ । ଅସାମାଜିକ କାର୍ଯ୍ୟକଳାପ କଥା କହି ସେମାନଙ୍କୁ କେବଳ ରୋମାଞ୍ଚିତ କରିବା ଏ ବହିର ଉଦ୍ଦେଶ୍ୟ ନୁହେଁ । ବରଂ ତା’ର ପ୍ରତିରୋଧ କରିବାହିଁ ଉତ୍ତମ ନାଗରୀକର କର୍ତ୍ତବ୍ୟ । ଠିକ୍‌ ସେଇଆ କରିଛନ୍ତି ଏ ବହିର ନାୟକ ଶାନ୍ତନୁ ଓ ତା’ର ଅନ୍ୟ ସାଥିମାନେ ।

 

କ୍ରମାନ୍ୱୟରେ ସାତମାସ ଧରି ପୂରା ଗପଟି ଆକାଶବାଣୀ, କଟକରୁ ‘‘କିଶୋରଚକ୍ର’’ କାର୍ଯ୍ୟକ୍ରମରେ ପ୍ରଚାର କରାଯାଇଥିଲା । ସେ ସମୟରେ ଯେଉଁ ଅଗଣିତ ଛୋଟ ଛୋଟ ଭାଇ ଭଉଣୀମାନେ ଆଗ୍ରହ ଉତ୍କଣ୍ଠା ନେଇ ‘‘ଶାନ୍ତନୁର ଶପଥ’’ର ପ୍ରତିଟି ଅଂଶ ଶୁଣିଥିଲେ ଓ ଶୁଣିବାକୁ ଅପେକ୍ଷା କରୁଥିଲେ–ଶେଷକୁ ସେଇଟିର ପ୍ରଚାର ସରିବା ପରେ ପୁଣିଥରେ ଶୁଣାଇବାର ଅନୁରୋଧ କରିଥିଲେ ବାରମ୍ବାର–ସେଇମାନଙ୍କ ହାତରେ ବହି ଆକାରରେ ଏଇଟି ତୋଳି ଦେବାରେ ମୋର ଆନନ୍ଦର ସୀମା ନାହିଁ । ସେମାନେ ସମସ୍ତେ ଜଣେ ଜଣେ ଶାନ୍ତନୁ ହୁଅନ୍ତୁ–ଏଇ କାମନା କରିବି ।

 

–ଲେଖିକା

Image

 

ଭୂତକୋଠି

।। ଏକ ।।

 

ଚମକି ପଡ଼ିଲା ଶାନ୍ତନୁ । ରାତି ବହୁତ ହେଲାଣି । ରାସ୍ତାଘାଟ ବି କେମିତି ନିଛାଟିଆ ହେଇ ଆସିଚି । ସହପାଠୀ ବନ୍ଧୁ ଆଲୋକର ଘରେ ଜ୍ୟାମିତିର ସମସ୍ୟା ବିଷୟରେ ଆଲୋଚନା କରୁ କରୁ କେତେବେଳେ ଯେ ଏତେ ରାତି ହେଇଯାଇଚି—ଜମାରୁ ଖିଆଲ ନଥିଲା ତା’ର । କିନ୍ତୁ–-

 

ଛାୟା ମୂର୍ତ୍ତିଟାଏ ବାହାରି ଆସିଲା ଅନ୍ଧାରିଆ କୋଠାଘରଟାର ଗେଟ୍‌ ଖୋଲି । ଏ ଘରଟାରେ–ଏତେ ରାତିରେ କାହାର କ’ଣ କାମ ଥାଇପାରେ ? ଟିକେ ନିରେଖି ଚାହିଁଲା ଶାନ୍ତୁନୁ ।

 

ପିଲାଦିନୁ ଭୂତକୋଠି ବୋଲି କହି ଯାହା ସମ୍ପର୍କରେ ଅନେକ ଆଲୋଚନା କରିଚନ୍ତି ସେମାନେ, ସନ୍ଧ୍ୟା ଆଗରୁ ତା’ ପଛପଟର କୋଳି ଗଛରୁ କୋଳି ତୋଳିଲେ କିମ୍ବା ଅନ୍ଧାର ହେଲାପରେ ତା’ ଆଗ ରାସ୍ତା ଦେଇ ଗଲାବେଳେ ଛାତି ଧପ୍‌ ଧପ୍‌ କରେ । ସେଇ ଭୂତ କୋଠିଟାରେ କାହାର କି କାମ ଥାଇପାରେ ? ସେଠି ତ କେହି ରହନ୍ତିନି ? ଅନ୍ତତଃ ତା’ ଜାଣିବାରେ ସେ କେବେ ସେଠି କାହାକୁ ରହିବାର ଦେଖିନି । ଆଉ ଯଦିବା କାହାର ସେଠିକି ଯିବାର ଦରକାର ହେଇପାରେ–ସେ ଏତେ ରାତିରେ କାହିଁକି ଯିବ ?

 

ଘରଟା ପ୍ରାୟ ଦରଭଙ୍ଗା ଅବସ୍ଥାରେ ଅଛି । ଠାଏ ଠାଏ ଚୂନ ବାଲି ଖସି ଯାଇଛି, ପୁଣି ଆଉ ଠାଏ ଠାଏ ମସ୍ତ ବଡ଼ ବଡ଼ ଫାଟ ଭିତରୁ ଉଠି ଆସୁଛି ବର ଓସ୍ତ ଗଛ । ଦୁଆର ଝରକା କୋଉଠି ଅଛି ତ କୋଉଠି ନାହିଁ । ଦିନବେଳେବି ପାରା, ଚେମେଣି ଚଢ଼େଇ ନିର୍ଭୟରେ ଘୁରି ବୁଲନ୍ତି ସେଠି । ଦେଖିଲେ ତ ମନେ ହୁଏ–ଯେ କୌଣସି ସମୟରେ ଭାଙ୍ଗି କୁଢ଼େଇ ହେଇ ପଡ଼ିବ । ସେଇ ଘରଟାରେ–ପୁଣି ଅନ୍ଧାରିଆ, ଏତେ ରାତିରେ–କାହାର କି କାମ ଥାଇପାରେ ?

 

କିଏ ହେଇପାରେ ଲୋକଟା ? ଛୋଟ ଏଇ ସହରଟାରେ ପ୍ରାୟ ଅଧିକାଂଶ ଲୋକ ତା’ର ଚିହ୍ନା । ଶାନ୍ତନୁ ପାଦେ ପାଦେ କରି ଆଗେଇ ଯାଉଥିଲା, ଆଉ ଲକ୍ଷ୍ୟ କରି ଦେଖିବାକୁ ଚେଷ୍ଟା କରୁଥିଲା–କିଏ ଲୋକଟା ?

 

ସହରର ଏ ପଟଟା ନିଛାଟିଆ । ଲୋକଙ୍କ ରହିବା ଘର ବେଶି ନାହିଁ ବୋଲି ବୋଧେ, ରାସ୍ତାରେ ଏ ଯାଏବି ବିଜୁଳି ଆଲୁଅ ଦିଆ ଯାଇନି । ଖାଲି ପୁରୁଷେ ଉଞ୍ଚା ବତୀଖୁଣ୍ଟଗୁଡ଼ା ଉପରେ ଦପ୍‌ ଦପ୍‌ କରି ଜଳୁଛି କେତେଟା କିରାସିନି ଆଲୁଅ । ସେଥିରେ କେବଳ ଲମ୍ବା ଲମ୍ବା ଛାଇ ପଡ଼ିବା ଛଡ଼ା ପ୍ରକୃତରେ ବେଶି ବିଶେଷ କରି ଦେଖିବାର ସୁବିଧା ନାହିଁ । କିନ୍ତୁ ସେଥିଲାଗି ଶାନ୍ତନୁ ଏହା ପୂର୍ବରୁ କେବେ ଅସୁବିଧାରେ ପଡ଼ିନି । ରାସ୍ତାଟା ତା’ର ଏତେ ଚିହ୍ନା ଯେ–ଇଚ୍ଛାକଲେ ଆଖି ବନ୍ଦ କରିବି ଯାଇପାରିବ ସେ । ସେଇ ରାସ୍ତାରେ–ତା’ର କିଛି ଆଗରେ ଯୋଉ ଲୋକଟା ଯାଉଛି, ମନେ ହେଲା ତା’ରବି ରାସ୍ତାଟା ଅଜଣା ନୁହେଁ । ଟିକେ ଆଗରେ ବର୍ଷାପାଣି ବହି ଯୋଉ ଜାଗାଟା ଖାଲ ହେଇଯାଇଛି–ଜମାରୁ ନ ଝୁଣ୍ଟି ସେ ତାକୁ ପାର ହେଇଗଲା, ଆଉ ଟିକେ ଆଗରେ ପ୍ରାୟ ଅଦୃଶ୍ୟ ଅବସ୍ଥାରେ ଯୋଉ କଳା ବଡ଼ ପଥରଟା ପଡ଼ିଛି ସେଇଟାରେବି ଝୁଣ୍ଟିଲାନି କି ଅଟକିଲାନି ସେ । ଶାନ୍ତନୁ ପ୍ରାୟ ନିଃଶବ୍ଦରେ ଆଗେଇ ଯାଉଥିଲା ଆଉ ଭାବୁଥିଲା । କିଏ ତାହେଲେ ଲୋକଟା ? ଏତେ ରାତିରେ, କୁଆଡ଼େ–କାହିଁକି ଯାଉଛି ସେ ?

 

ପ୍ରକୃତରେ ଏତେ ରାତିରେ କେବେ ସେ ଘରକୁ ଫେରିନି । ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ, ଜ୍ୟାମିତିର କେତେଗୁଡ଼ିଏ ସମସ୍ୟା ବନ୍ଧୁ ଆଲୋକ ଚାହିଁ ଥିଲା ବୁଝିବାକୁ ତା’ଠାରୁ । ସେଇଥିପାଇଁ ଯାଇଥିଲା ସେ । ଆଲୋକ ଘରେ ବସି ତାକୁ ପଢ଼ା ବୁଝାଇ, ଅନ୍ୟ କେତେକ ପ୍ରଶ୍ନର ଉତ୍ତର କେମିତି ଲେଖିବା ଉଚିତ ସେଇ କଥା ଆଲୋଚନା କରୁଥିଲା ସେ । ଆଉ ସେଇଥିରେ ଏତେ ବ୍ୟସ୍ତ ରହିଥିଲା ଯେ, କେତେବେଳେ ଦିନ ଯାଇ ସନ୍ଧ୍ୟା ହେଉଛି, କେତେବେଳେ ସନ୍ଧ୍ୟାବି ଯାଇଛି, ଆଉ ରାତି ଗଭୀର ହେଇଛି, ଆଦୌ ଖିଆଲ ନଥିଲା ତା’ର ।

 

ହଠାତ୍‌ ଝରକା ବାଟେ ଆଖି ପଡ଼ିଗଲା ବାହାରକୁ । ମନେପଡ଼ିଲା ଅନ୍ଧାର ରାତି କଥା । ସର୍ବନାଶ–ତରବର ହେଇ ଉଠି ପଡ଼ିଥିଲା ସେ । ଚାରିଟାବେଳେ ଘରୁ ଖେଳିବାକୁ ବାହାରିଥିଲା ସେ । ହୁଏତ ଏହା ଭିତରେ ବ୍ୟସ୍ତ ହେଇ ମା’ ତାକୁ ଖୋଜିବାକୁ ଲୋକ ପଠେଇ ସାରିବେଣି । ନା–ବଡ଼ ଭୁଲ ହେଇଯାଇଛି । ଆଲୋକକୁ କହି ଦେଇ ସେ ବାହାରି ଆସିଥିଲା । ଏକା ନିଶ୍ୱାସରେ ଭୂତକୋଠି ପର୍ଯ୍ୟନ୍ତ ଆସି ଥମକି ଠିଆ ହୋଇ ପଡ଼ିଥିଲା ସେ ।

 

ବତୀଖୁଣ୍ଟର ଠିକ୍‌ ତଳେ ଥମକି ଠିଆ ହେଇ ପଡ଼ିଲା ଲୋକଟା । ଭାବନାର ଅ ଛିଣ୍ଡିଗଲା ଶାନ୍ତନୁର । ଆଉ କ’ଣ ଭାବି ସେ ଘୁଞ୍ଚିଗଲା ରାସ୍ତା କଡ଼କୁ । କିଆବୁଦା ପାଖରେ ବସି ପଡ଼ିଲା ସେ । ଜାଗାଟା ଖୁବ୍‌ ଅନ୍ଧାରିଆ । ଆଶା କରାଯାଉ ଲୋକଟା ତାକୁ ଦେଖିନି । ସେ କିନ୍ତୁ ଦେଖିପାରୁଥିଲା ଲୋକଟାକୁ । ବତୀଖୁଣ୍ଟର ଅଧା ଅନ୍ଧାରିଆ, ଛାଇ ଛାଇଆ ଆଲୁଅରେ ଲୋକଟା ଦିଶୁଥିଲା କିମ୍ଭୁତକିମାକାର ।

 

ବୋଧହୁଏ କଳାରଙ୍ଗର ବେଶ୍ ବଡ଼ ଗୋଟେ କୋଟ୍‌ ସେ ପିନ୍ଧିଥିଲା । ମୁଣ୍ଡରେ ଥିଲା ବଡ଼ କଳା ଟୋପି । ଟୋପିର ଛାଇ ଯୋଗୁଁ ମୁହଁ ଦେଖିବାର ଉପାୟ ନଥିଲା । ସବୁ ମିଶି ମନେ ହେଉଥିଲା–ସତେ ଯେମିତି ଡେଙ୍ଗା, କଳା ଗୋଟେ ଛାଇ ।

 

ଭୂତ ନୁହେଁ ତ ? ଯେମିତି ଭୂତ ଗପରେ ଶୁଣାଯାଏ ? ଗୋଟାଏ ଗପ ମନେପଡ଼ିଗଲା ତା’ର–ପିଲା ଦିନର ଶୁଣା ଗପ । ବାଟ ଭୁଲେଇ, ଭୂତ ନେଇ ଯାଇଥିଲା କବରଖାନା ଆଡ଼କୁ । ଆଉ ସକାଳୁ ଦେଖିଲାବେଳକୁ–ନାଁ–ଦୂରରୁ ଛାଇ ଭଳି ଦିଶିଲେବି, ଭୂତ ନୁହେଁ ସେ । କାରଣ–ଭୂତ କ’ଣ ସିଗାରେଟ୍‌ ଖାଏ ? କାଇଁ କେବେ ହେଲେ ସେକଥା ଶୁଣିନି ତ ? ଅଥଚ ପ୍ରାୟ ଦଶହାତ ଦୂରରେ ଥିଲେବି ପରିଷ୍କାର ଦେଖାଗଲା, ଖସ୍‌ କରି ଶବ୍ଦଟାଏ ବି କାନରେ ବାଜିଲା । ଡିଆସିଲି ଜଳିଉଠିଲା–ନାକରେ ବାଜିଲା ସିଗାରେଟ୍‌ର ଗନ୍ଧ । ଅନ୍ଧାରିଆ ବତୀଖୁଣ୍ଟ ତଳେ ଅନ୍ଧାରର ମୂର୍ତ୍ତିମାନ ଛାଇ । ଦପ୍‌ ଦପ୍‌ କରୁଛି ସିଗାରେଟ୍‌ର ନିଆଁ ।

 

ମାତ୍ର କେତେ ମିନିଟ । ହୁଏତ ସେ ଚାଲିଯିବ ବା ଭାବୁଛି ଚାଲିଯିବି କି ନାହିଁ । ପୁଣିଥରେ–ଖସ୍‌ କରି ଶବ୍ଦ ହେଲା, ଡିଆସିଲିଟା ଜଳିଉଠିଲା । ଆଉ ସେଇ ଆଲୁଅରେ ଶାନ୍ତନୁ ଦେଖିଲା— । ଉତ୍ତେଜନାରେ, ଆଗ୍ରହରେ ଶାନ୍ତନୁ ନିଜକୁ ଭୁଲିଗଲା । ଭୁଲି ଗଲା–ଯଦି ଲୋକଟି ତାକୁ ଦେଖେ ? ସେ ଆଗେଇ ଗଲା ଆଉ କେଇ ପାଦ । ବାଁ ପଟେ, ଛୋଟ ପୋଲଟାର ବାଁ ପଟ ବାଡ଼ କଡ଼ରେ ନିଃଶବ୍ଦରେ ଠିଆ ହେଲା ସେ ।

 

ହୁଏତ ତା’ର ପାଦଶବ୍ଦ ଲୋକଟାର କାନରେ ବାଜିଲା, କିମ୍ବା ମନରେ ତା’ର ଆସିଲା ଅନ୍ୟ କିଛି ସନ୍ଦେହ, ଜଳନ୍ତା ଡିଆସିଲି କାଠିଟା ସେ ତଳେ ପକେଇ ଦେଲା । କେତେ ସେକେଣ୍ଡ ପାଇଁ ଜଳି ଲିଭିଗଲା ସେଇଟା । କିନ୍ତୁ ତା’ ପୂର୍ବରୁ ଯାହା ଦେଖିବାକୁ ଚାହିଁଥିଲା ଶାନ୍ତନୁ–ତା’ ସେ ଦେଖି ସାରିଥିଲା । ଲୋକଟା ପକେଟରୁ ଗୋଟିଏ କାଗଜ କାଢ଼ି କ’ଣ ଦେଖିଲା ସେଥିରୁ, ତା’ପରେ ପୁଣିଥରେ ସେଇଟା ପକେଟଗା ଜାଲା । କେତେ ସେକେଣ୍ଡ ପରେ ପୁଣି ଆଗେଇ ଗଲା-

 

ଟିକେ ସମୟ ଅପେକ୍ଷା କରି, ଯଥାସମ୍ଭବ ନିଃଶବ୍ଦରେ ଶାନ୍ତନୁ ଆସି ଠିଆ ହେଲା ସେଇ ବତୀଖୁଣ୍ଟତଳେ–ଯୋଉଠି ଟିକେ ଆଗରୁ ଲୋକଟା ଠିଆ ହୋଇଥିଲା, ସିଗାରେଟ୍‌ ଲଗେଇଥିଲା, ଡିଆସିଲି ଜଳେଇ ପକେଟରୁ କ’ଣ ଗୋଟେ କାଗଜ କାଢ଼ି ଦେଖିଥିଲା, ଆଉ ସେଇଟା ପକେଟରେ ରଖି ଚାଲିଯାଇଥିଲା । କିନ୍ତୁ ହୁଏତ ସେ ଜାଣିପାରି ନଥିଲା–ପକେଟରୁ କାଗଜଟା କାଢ଼ିଲାବେଳେ ଛୋଟ ଗୋଟେ ଧଳା ଜିନିଷ ତା’ ପକେଟରୁ ତଳେ ଖସି ପଡ଼ିଥିଲା । ଧଳା ହେଇ ବର୍ତ୍ତମାନବି ଦିଶୁଛି ସେଇଟା । ସେଇ ଗୋଟିକ ଥିଲା ଶାନ୍ତନୁର ଲକ୍ଷ୍ୟ ।

 

ଧୀରେ ତଳୁ ଉଠେଇ ନେଲା ଶାନ୍ତନୁ ଛୋଟ ଖଣ୍ଡେ କାଗଜ । ବତୀଖୁଣ୍ଟର ଆଲୁଅରେ ସେ ଦେଖିଲା ଖଣ୍ଡେ ଲଫାପା, ଉପରେ କିଛି ଲେଖା ହେଇନି, ନା ନୁହେଁ କି ଠିକଣା ବି ନୁହେଁ । କିନ୍ତୁ ଭିତରେ ତା’ର ଚାରିକୋଣିଆ ଛୋଟ ଗୋଟିଏ କାଗଜ । ସେଥିରେ ଲେଖା ହେଇଥିଲା ମାତ୍ର କେଇଟା ଶବ୍ଦ–ଆଲୁଅ ତଳକୁ ନେଇ ପଢ଼ିଲା ଶାନ୍ତନୁ ।

 

–‘‘ରାତି ଦଶଟା–ଭୂତକୋଠି–ପଶ୍ଚିମ ଦୁଆର– ।’’

 

ବୁଲି ଚାହିଁଲା ଶାନ୍ତନୁ । ବେଶ୍‌ ଦୂରରେ ଲୋକଟା, ବର୍ତ୍ତମାନ ବି ଆଗେଇ ଯାଉଚି । ହୁଏତ ଟିକେ ଚଞ୍ଚଳ ଚାଲିଗଲେ ତା’ ପଛେ ପଛେ ଯାଇ ହେବ, ଦେଖି ହେବ କୁଆଡ଼କୁ ଯାଉଚି ସେ । ବୋଧହୁଏ ଏଇ ଲେଖାଟା ପାଇଁ ସେ ଆସିଥିଲା ଭୂତ କୋଠିକୁ । ଆଉ କାମ ସାରି ଫେରିଯାଉଛି । କୁଆଡ଼େ ଯାଉଛି ସେ ?

 

ଦୋଦୋପାଞ୍ଚ ହେଉଥିଲା ଶାନ୍ତନୁ । ଯଦି ଲୋକଟାର ଉଦ୍ଦେଶ୍ୟ ଜାଣିବାକୁ ହୁଏ–ଅର୍ଥାତ କାହିଁକି ରାତି ଦଶଟାରେ ଭୂତକୋଠିକି ଯାଇଥିଲା ସେ–ତେବେ ପ୍ରଥମେ ଆଗ ଜାଣିବା ଦରକାର କିଏ ସେ ? କୋଉଠି ରହେ ସେ ?

 

କିନ୍ତୁ ରାତି ଅନେକ ହେଇଛି, ଘରେ ସମସ୍ତେ ବ୍ୟସ୍ତ ହେଉଥିବେ ତା’ ଲାଗି । ସଞ୍ଜ ହେବାର ଅନେକ ଆଗରୁ ସେ ବାହାରିଥିଲା ଘରୁ ।

 

ତା’ପରେ ଧର ଯଦି ତା’ର ଏଇ କୌତୁହଳ ପସନ୍ଦ ନ କରେ ଲୋକଟା ? ଯଦି ପ୍ରକୃତରେ ଲୁଚେଇବାଭଳି କୌଣସି କାମ ସେ କରୁଥାଏ, ସେ ଭଲ ପାଇବନି ଶାନ୍ତନୁର ଏ କାମକୁ-। ନିଶ୍ଚୟ ସେ ଜାଣିନି ଯେ ତା’ର ଯିବା ଆସିବା ଅନ୍ୟ କାହା ଆଖିରେ ପଡ଼ିଛି । ଆଉ ନିଶ୍ଚୟ ସେ ଚାହିଁନି ଯେ ତା’ର ଗତିବିଧି ଅନ୍ୟ କିଏ ଦେଖୁ । ତା’ ନ ହେଲେ ଏମିତି ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଚାହିଁ ସେ କାହିଁକି ଯାଉଥାନ୍ତା ? ସୁତରାଂ ଏକୁଟିଆ ଏତେ ରାତିରେ ତା’ ପଛେ ପଛେ ଯିବାଟା ଉଚିତ ହେବନି ।

 

।। ଦୁଇ ।।

 

ଢଂ ଢଂ କରି ଘଣ୍ଟା ବାଜିଲା । ପରେ ପରେ ପାଟିତୁଣ୍ଡ କରି ଦଳ ଦଳ ହେଇ ପିଲାଏ ବାହାରି ଆସିଲେ ସ୍କୁଲ ଭିତରୁ । ତାଙ୍କରି ସାଙ୍ଗରେ ଶାନ୍ତନୁବି ବାହାରି ଆସିଲା ସ୍କୁଲରୁ । ନାଁ–ଆଜି ଆଉ ଖେଳିବାକୁ ଯିବନି ସେ । ଇଂରେଜୀ ବହିରୁ କେତେଟା ପ୍ରଶ୍ନ ସାର୍ ଦେଇଛନ୍ତି । ଆଜି ଉପରଓଳି ସେଇତକ କରି ରଖିବ ସେ । ସେଇଥିପାଇଁ ସାଙ୍ଗେ ସାଙ୍ଗେ ଘରକୁ ଫେରିଯିବା ଭଲ । ଜଳଖିଆ ଖାଇସାରି ଛାତ ଉପରେ ବରଂ ବସିବ । ତରତର ହେଇ ଘରକୁ ଫେରିଆସିଲା ଶାନ୍ତନୁ ।

 

ସ୍କୁଲ ଜାମାପଟା ବଦଳେଇ ପିନ୍ଧିନେଲା ଖେଳିବାକୁ ଯିବାର ପୋଷାକ,–ଖାକି ହାଫ୍‌ପ୍ୟାଣ୍ଟ ଆଉ ଖାକି ହାଫ୍‌ସାର୍ଟ । ଜଳଖିଆ ଖାଇ, ବହି ପତ୍ର ନେଇ, ମସିଣା ପକେଇ ଛାତ ଉପରେ ବସିଲା । ଆକାଶରେ ଦଳ ଦଳ ଚଢ଼େଇ, ହୁଏତ ଦିନ ଶେଷରେ ସେମାନେ ବି କ୍ଲାନ୍ତ ହେଇ ଫେରିଯାଉଚନ୍ତି ତାଙ୍କ ବସାକୁ । ବିଭିନ୍ନ ଚଢ଼େଇଙ୍କର ବିଭିନ୍ନ ପ୍ରକାରର ଶବ୍ଦ, ଶାନ୍ତନୁ ବସି ଦେଖୁଥିଲା ଆଉ ଅନୁମାନ କରିବାକୁ ଚେଷ୍ଟା କରୁଥିଲା କେଉଁ ଶବ୍ଦଟା କୋଉ ଚଢ଼େଇର ।

 

ଶୀତ ଦିନ ଉପରଓଳିର ଖରା, ଦେହକୁ ଖୁବ୍‌ ଆରାମ ଲାଗୁଥିଲା । ଅଳ୍ପ ଅଳ୍ପ ପବନ ବି ହେଉଥିଲା । ପଶ୍ଚିମ ପଟକୁ ସୂର୍ଯ୍ୟ ଢଳି ପଡ଼ିବେ ଆଉ ରାତି ହେଇଯିବ ଚାହୁଁ ଚାହୁଁ । ଶାନ୍ତୁନୁ ଇଂରାଜୀ ବହିଟା ଖୋଲିଲା ଆଉ ପକେଟରେ ହାତ ଦେଲା କଲମ କାଢ଼ିବାକୁ । ଜାମାପଟା ବଦଳେଇଲାବେଳେ କଲମଟା ବି ରଖିଥିଲା ପକେଟରେ । କିନ୍ତୁ କଲମଟା ବାହାର କରିବା ଆଗରୁ ହାତକୁ ଲାଗିଲା ଖଣ୍ଡେ କାଗଜ । କି କାଗଜ ସେଇଟା ?

 

କାଗଜଟା କାଢ଼ି ଆଖି ଆଗରେ ଧରିବା କ୍ଷଣି ମନେପଡ଼ିଗଲା ତା’ର ।

 

‘‘ରାତି ଦଶଟା–ଭୂତକୋଠି–ପଶ୍ଚିମ ଦୁଆର–’’

 

କାଲି ରାତିରେ ରାସ୍ତାରୁ ଗୋଟାଇ ଏଇଟି ପକେଟରେ ରଖିଥିଲା ସେ ।

 

ଛବି ଭଳି ମନେପଡ଼ିଗଲା ଶାନ୍ତନୁର ଗତ ରାତିର କଥା ।

 

ଭୂତକୋଠିର ପଶ୍ଚିମ ଦ୍ୱାର–ଶାନ୍ତନୁ ମନେପକେଇବାକୁ ଚେଷ୍ଟା କଲା । ଭୂତକୋଠିର ପଶ୍ଚିମ ପଟ, ଆଉ ସେଇ ପଶ୍ଚିମ ପଟର ଦ୍ୱାର । ଠିକ୍‌ ମନେପଡ଼ୁ ନଥିଲା ତା’ର । ଅନ୍ତତଃ ଯଦି ସେଠିକି ଯାଇ ଖାଲି ଥରେ ଦେଖିପାରିଥାନ୍ତା !

 

ଭାରି ଅସ୍ଥିର ହେଇପଡ଼ିଲା ତା’ ମନ । ଘଟଣାଟା କ’ଣ ହେଇପାରେ । ସେ କିଛି ଭାବି ସ୍ଥିର କରିପାରୁ ନଥିଲା । ଯଦି ଘଟଣାର କିଛି ଗୋଟାଏ ସ୍ୱାଭାବିକ କାରଣ ସେ ଖୋଜି ପାଇଥାନ୍ତା, ତେବେ ହୁଏତ ଅଳ୍ପ ସମୟ ପରେ ସେ ଭୁଲି ଯାଇପାରିଥାନ୍ତା । ବିନା କାରଣରେ ତ କୌଣସି ଘଟଣା ଘଟେନି ।

 

ଏଇ ଯେ ଦିନ ଶେଷରେ ଚଢ଼େଇମାନେ ଫେରିଯାଉଚନ୍ତି ଘରକୁ–ତା’ରବି କାରଣ ଅଛି-। କାରଣ ସେମାନେ ରାତିରେ ଦେଖିପାରିବେନି । ଦିନରେ ଖାଇବା ଜିନିଷ ଯୋଗାଡ଼ କରିବା ବା ଅନ୍ୟାନ୍ୟ ଯାହା କିଛି କଲା ପରେ ରାତିରେ ସେମାନେ ବିଶ୍ରାମ ନିଅନ୍ତି । ପ୍ରସ୍ତୁତ ହୁଅନ୍ତି କର୍ମମୁଖର ପରଦିନ ପାଇଁ ।

 

ସୂର୍ଯ୍ୟ ଯେ ପଶ୍ଚିମ ଆକାଶକୁ ଲାଲ ରଙ୍ଗରେ ରଙ୍ଗ କରି ବୁଡ଼ିଯିବେ ଆଉଟିକେ ପରେ–ତା’ର ମଧ୍ୟ କାରଣ ରହିଚି । ପୃଥିବୀର ଗୋଟିଏ ପଟେ କ୍ଲାନ୍ତ ହୋଇ ଲୋକମାନେ ବିଶ୍ରାମ ନେବେ ବୋଲି, ଆଉ ଅନ୍ୟପଟେ ରାତି ଶେଷରେ ନୂଆ ଉତ୍ସାହରେ ଲୋକମାନେ ନୂଆ ଦିନର କାମରେ ଲାଗିଯିବେ ବୋଲି ।

 

ଅଥଚ ରାତି ଦଶଟାବେଳେ କଳା ପୋଷାକ ପିନ୍ଧି ଅନ୍ଧାରିଆ, ଦରଭଙ୍ଗା ଭୂତକୋଠି ଭିତରକୁ ଯିବାକୁ ଜଣକୁ ନିର୍ଦ୍ଦେଶ ଦିଆଗଲା, ଆଉ ସେ ମଧ୍ୟ ସେଇ ନିର୍ଦ୍ଦେଶ ଅନୁସାରେ କାମ କଲା–ଏହାର କିଛି କାରଣ ନାହିଁ ? ଶାନ୍ତନୁର ମନରେ ଭରିଯାଇଥିଲା ଦ୍ୱନ୍ଦ୍ୱ ।

 

ନାଁ–ଆଉ ପଢ଼ି ହେବନି । ପଢ଼ାରେ ମନ ଲାଗିଲେ ତ । ବହିପତ୍ର ନେଇ ଉଠି ପଡ଼ିଲା । ପ୍ରକୃତରେ ଏଇଟା ତା’ର ଖେଳିବା ସମୟ । ବରଂ ଏଇ ସମୟଟାରେ ଯାଇ ମନର ସନ୍ଦେହ ଦୂର କରି ଆସିବା ଭଲ । ତାହେଲେ ଯାଇ ନିଶ୍ଚିନ୍ତ ଭାବରେ ରାତିରେ ସେ ପଢ଼ି ବସି ପାରିବ । ସେଇଟା ପଢ଼ିବା ବେଳ । ଶାନ୍ତନୁ ମା’ଙ୍କୁ କହି ଘରୁ ବାହାରିଗଲା । ଗଲାବେଳେ ପକେଟରେ ଛୋଟ ଟର୍ଚ୍ଚଟିଏ ନେବାକୁ ଭୁଲିଲାନି ସେ ।

 

କିଛି ବାଟ ଗଲା ପରେ ମନେପଡ଼ିଲା ତା’ର । ଏକୁଟିଆ ଯିବ–ନାଁ ସାଙ୍ଗମାନଙ୍କ ଭିତରୁ କାହାକୁ ଡାକି ନେଇ ଯିବ ? ସବୁରି କଥା ମନେପକେଇଲା ସେ । ଆଲୋକ, ରବି, ପ୍ରଶାନ୍ତ ଆଉ ଭାନୁ–ନାଁ ଆଜି ଥାଉ । ଆଜି ଆଗ ଯାଇ ଦେଖାଯାଉ ଘଟଣାଟା କ’ଣ । ପରେ ଦରକାର ହେଲେ ସେମାନଙ୍କୁ ଡାକିବାକୁ ହେବ । କଥାଟା ଯଦି ସେମିତି କିଛି ନ ହେଇଥାଏ–କିଏ ଜାଣେ ସବୁତକ ତା’ର ମନର କଳ୍ପନା କି ନାହିଁ ।–ଅକାରଣେ ଥଟ୍ଟା କରିବେ ସେମାନେ, ଆଉ ତା’ କଥାକୁ ହସି ଉଡ଼େଇ ଦେବେ ।

 

ଶାନ୍ତନୁ ଭୂତକୋଠି ପାଖରେ ପହଞ୍ଚିଲାବେଳକୁ ସୂର୍ଯ୍ୟ ପ୍ରାୟ ବୁଡ଼ିବା ଉପରେ । ଆଉ କେତେ ମିନିଟ୍‌ ପରେ ସୂର୍ଯ୍ୟ ବୁଡ଼ିଯିବେ । ବରଂ ଅନ୍ଧାର ହେଲେ ଭଲ । ତାହେଲେ ତା’ର ଯିବା ଆସିବା କାହା ଆଖିରେ ପଡ଼ିବନି କି କେହି ଜାଣିପାରିବେନି । ସେ ଚାରିଆଡ଼କୁ ଚାହିଁଲା । ଅବଶ୍ୟ ପାଖ ଆଖରେ ଲୋକ ବି ସେମିତି ବିଶେଷ ନାହାନ୍ତି । ଅଳ୍ପ ଦୂରରେ ରାସ୍ତା ଆରପଟେ ଯେଉଁ ଅଫିସଟା ଅଛି–ଏହାରି ଭିତରେ ସେଠୁ ଜଣ ଜଣ ହେଇ ଲୋକମାନେ ବାହାରି ଚାଲି ଗଲେଣି । ଅଫିସ ବନ୍ଦ ହେଇଗଲା ବୋଧେ । ଗୋଟି ଗୋଟି ହେଇ ବନ୍ଦ ହେଇଗଲା ଘରଟାର ଝରକା ଦୁଆର । ଶେଷକୁ ଖାକି ପୋଷାକ ପିନ୍ଧା ଲୋକଟିଏ ବାହାରି ଆସିଲା–ହାତରେ ତା’ର ବଜାର ଥଳି-। ବୋଧହୁଏ ରାତିରେ ଜଗିବାକୁ ଏଇ ଲୋକଟି କେବଳ ଏଠି ରହେ ।

 

ଆଉ ଟିକେ ଦୂରକୁ–ପ୍ରାୟ ଭୂତକୋଠିର ଫାଟକ ସାମ୍ନାରେ ରାସ୍ତା ଆର ପଟେ ଯେଉଁ କାଠ କେବିନଟି ଅଛି, ସେଠି କିନ୍ତୁ ବର୍ତ୍ତମାନବି କେତେ ଜଣ ଲୋକ ଭିଡ଼ କରିଛନ୍ତି । ବୋଧହୁଏ ଗୋଟେ ପାନ ଦୋକାନ ସେଇଟା । କିଏ ପାନ କିଣୁଛି, କିଏ କିଣୁଛି ବିଡ଼ି କି ସିଗାରେଟ୍‌, ଆଉ କିଏ କିଛି କାମ ନଥାଇବି ସେଠି ବସିଛନ୍ତି–ଦୋକାନ ଆଗ କାଠ ବେଞ୍ଚଟାରେ ବସି ବେଶ୍‌ କେତେ ଜଣ ଲୋକ ଗପ ଜମେଇଛନ୍ତି । ଶାନ୍ତନୁ ସ୍ଥିର କରିପାରୁ ନଥିଲା ସାମ୍ନା ପଟର ଗେଟ୍‌ ଖୋଲି ଭୂତକୋଠି ଭିତରକୁ ଯିବ–ନା–ବରଂ ପଛପଟର ଦରଭଙ୍ଗା ପାଚେରୀଟା ପାର ହେଇ ସେଇ ବାଟେ ଭିତରକୁ ଯିବା ବେଶି ନିରାପଦ । ଅନ୍ତତଃ ସେମିତିରେ ରାସ୍ତାରୁ କେହି ତାକୁ ଦେଖିପାରିବେନି । ତଥାପି–ଏ ପଟକୁ ଆସି କିଛି ନ କିଣି ପୁଣି ଫେରି ଯିବାଟା ହୁଏତ ଅନ୍ୟ କାହାକୁ ସନ୍ଦେହଜନକ ମନେ ହେଇପାରେ । ଶାନ୍ତନୁ ଆଗେଇ ଗଲା ପାନ ଦୋକାନଟା ପାଖକୁ ।

 

‘‘ଚିନାବାଦାମ ଅଛି ।’’ ପଚାରିଲା ସେ ।

 

‘‘ଥିଲା ଯେ ସରିଯାଇଚି–ଲଜେନ୍‌ସ ନବ ବାବୁ ?’’ ପାନଦୋକାନୀ ଦଶଟା ପାନରେ ଚୂନ ଲଗେଇ ସାରି ଖଇର ଛିଞ୍ଚୁ ଥିଲା ସେଥିରେ ।

 

‘‘ନାଁ–ଲଜେନ୍‌ସ ମୋର ଦରକାର ନାହିଁ ।’’ ଶାନ୍ତନୁ ଦୋକାନ ଛାଡ଼ି ବାହାରି ଆସିଲା । ବେଶ୍‌ କିଛି ବାଟ ସେଇ ରାସ୍ତା ଦେଇ ଆଗେଇ ଗଲା ସେ, ଚାଲିଗଲା ଭୂତକୋଠି ପାର ହେଇ । ତା’ପରେ ସେ ଓହ୍ଲେଇ ଗଲା ରାସ୍ତାରୁ । ଲକ୍ଷ୍ୟ ତା’ର ଥିଲା ଭୂତକୋଠି ପଛ ପଟର ପାଚେରୀ । ସାଙ୍ଗମାନଙ୍କ ସହିତ କୋଳି ତୋଳିବାକୁ ଆସି ସେ ଦେଖିଛି ସେ ଭଙ୍ଗା ପାଚେରୀରେ ଗୋଟାଏ ଫାଙ୍କ ଅଛି, ଯାହା ଭିତର ଦେଇ ଭୂତକୋଠି ପଛ ପଡ଼ିଆକୁ ଯାଇ ହେବ । ଶାନ୍ତନୁ ସେଇ ବାଟେ ଯାଇ ଠିଆ ହେଲା କୋଳି ଗଛମୂଳରେ ।

 

ଚାରିଆଡ଼ ଭଲ ଭାବରେ ଦେଖିନେଲା ସେ । ନାଁ–ଅନେକ ପ୍ରକାରର ଜୀବଜନ୍ତୁ, ଏମିତିକି ସମ୍ଭବତଃ ଭୂତପ୍ରେତଙ୍କର ଆଶ୍ରୟସ୍ଥଳ ହେଲେବି–ବର୍ତ୍ତମାନ ଏଇ ଅବସ୍ଥାରେ ମଣିଷବାସର ଅଯୋଗ୍ୟ ସେ ଘର । ପଶ୍ଚିମ ପଟ–ଦିଗନିର୍ଣ୍ଣୟ କରିବା ମୋଟେ କଷ୍ଟକର ହେଲାନି-। ଆକାଶରେ ରଙ୍ଗର ବନ୍ୟା ବୁହାଇ ସୂର୍ଯ୍ୟାଅସ୍ତ ଯାଉଥିଲେ । ଆଉ ତା’ରି ଲାଲ ଖରା ଆସି ପଡ଼ିଥିଲା । ପ୍ରକାଣ୍ଡ ଗୋଟେ କଳା ଦୁଆର ଉପରେ । ଦୁଆରଟା ବନ୍ଦ ଥିଲା ଭିତର ପଟୁ । ଶାନ୍ତନୁ ଦୁଆର ଆଗରେ ଠିଆ ହେଇ କିଛି ସମୟ ଧରି ଠେଲା ଠେଲି କଲା । ନାଁ–ଦୁଆରଟା ଟିକେ ହେଲେବି ହଲିଲାନି । ଜାଗାଏ ଜାଗାଏ ରଙ୍ଗ ଛାଡ଼ି ଯାଇଥିଲେ ସୁଦ୍ଧା, ବାହାର ପଟର କଡ଼ାଗୁଡ଼ା ଜଙ୍କ ଲାଗି ଯାଇଥିଲେ ବି ଦୁଆରଟା ଖୁବ୍‌ ମଜବୁତ୍‌ ଥିଲା । ତାକୁ ହୁଏତ ଭାଙ୍ଗି ହେବ–କିନ୍ତୁ ଏକୁଟିଆ ଶାନ୍ତନୁ ହାତର କାମ ନୁହେଁ ସେ ।

 

ତାହେଲେ କ’ଣ ସେ ଫେରିଯିବ ? କ’ଣ କରିବ କିଛି ସ୍ଥିର କରିପାରୁ ନଥିଲା ଶାନ୍ତନୁ । କୋଳିଗଛ ତଳକୁ ଆସି ଦୁଆର ଆଉ ତା’ ପାଖ କାନ୍ଥକୁ ଲକ୍ଷ୍ୟ କରି ଦେଖୁଥିଲା । କେମିତିଭାବେ ଭିତରକୁ ଯାଇ ହେବ । ଦୁଆରଠାରୁ ପ୍ରାୟ ପନ୍ଦର ଫୁଟ ଦୂରକୁ ଥିଲା ଗୋଟେ ଛୋଟ ଝରକା–ମାଟି ଉପରୁ ଅନ୍ତତଃ ଛ’ ସାତ ଫୁଟ ଉଚ୍ଚରେ । ଶାନ୍ତନୁ ତା’ରି ଆଡ଼କୁ ଆଗେଇ ଗଲା । ତା’ପରେ ଝରକାଟାକୁ ଠେଲିବାକୁ ଆରମ୍ଭ କଲା ।

 

ପ୍ରକୃତରେ ଖୁବ୍‌ ଅସୁବିଧା ଲାଗୁଥିଲା ଝରକାଟା ଠେଲିବାକୁ, କାରଣ ବହୁତ କଷ୍ଟ କଲେବି ଶାନ୍ତନୁ କେବଳ ଝରକାଟା ଛୁଇଁ ପାରୁଥିଲା । ପାଖ ଆଖରେ କିଛି ଗୋଟାଏ–ଅନ୍ତତଃ ଖଣ୍ଡେ ବାଡ଼ି ଯଦି ମିଳନ୍ତା ଝରକାଟାକୁ ଜୋରରେ ବାଡ଼େଇ ଦେଖି ହୁଅନ୍ତା ଖୋଲୁଚି କି ନାହିଁ ।

 

ବାଡ଼ି ବା କାଠ ଖଣ୍ଡକର ସନ୍ଧାନରେ ଆଖି ବୁଲେଇବାକୁ ଯାଇ ଶାନ୍ତନୁର ଆଖି ପଡ଼ିଲା-। ଆଖି ପଡ଼ିଲା କୋଳି ଗଛମୂଳେ ଖଣ୍ଡେ ଭଙ୍ଗା ଟିଣ ଉପରେ । ହୁଏତ ଓଲଟେଇ ତାକୁ ପକେଇ ତା’ରି ଉପରେ ଚଢ଼ି କିଏ କୋଳି ତୋଳିବାକୁ ଚେଷ୍ଟା କରିଚି । ସେଇ ଖଣ୍ଡକ ଶାନ୍ତନୁ ଆଣି ପକେଇଲା ଝରକାତଳେ ।

 

ଟିଣ ଉପରେ ଚଢ଼ି ଝରକାଟା ଠେଲିବାକୁ ଯାଇ ଅଟକିଲା ଶାନ୍ତନୁ । ସୂର୍ଯ୍ୟ ବୁଡ଼ି ଯାଇଛନ୍ତି, ଆଲୁଅ ବି କମି ଆସିଲାଣି । ଶୀତଦିନ ସନ୍ଧ୍ୟା–ଚାହୁଁ ଚାହୁଁ ଅନ୍ଧାର ହେଇଯିବ । ହୁଏତ କମ୍‌ ଆଲୁଅ ଥିବାରୁ ଆଗରୁ ଦେଖିପାରି ନଥିଲା ସେ । ବାହାରୁ ଠେଲି ଝରକାଟା କେମିତି ଖୋଲିଥାନ୍ତା ସେ ? ସେଇଟା ତ ଖୋଲିବ ବାହାରକୁ । ସୁତରାଂ ଖୋଲିବାକୁ ହେଲେ ଝରକାଟାକୁ ବାହାରୁ ଟାଣିବା ଦରକାର ।

 

କିନ୍ତୁ କେମିତି ଟାଣିବ ? କିଛି ଗୋଟେ ଧରିବାକୁ ନ ହେଲେ–କଡ଼ାଗୁଡ଼ା ଅନେକ ଆଗରୁ ଭାଙ୍ଗି ନଷ୍ଟ ହେଇଯାଇଚି । ତେବେ ଯୋଉଥିରେ ସେଗୁଡ଼ା ଲାଗିଥିଲା–ମୁଣ୍ଡରେ ଗୋଲ କଣା ଥିବା ପେଚଗୁଡ଼ାକ ବର୍ତ୍ତମାନ ବି ଅଛି । ସରୁ ଖଣ୍ଡେ କାଠି ପୂରେଇ ଟାଣି ଦେଖାଯାଇପାରେ-

 

ତିନି ଥର ଚେଷ୍ଟା କଲା ପରେ ଶାନ୍ତନୁ ଝରକାର ଗୋଟିଏ ପଟ ଖୋଲି ପାରିଲା । ତା’ପରେ ଆର ପଟଟା ଖୋଲିବାକୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଲାନି । ଝରକା ଉପରକୁ ସାମାନ୍ୟ ଚେଷ୍ଟା ପରେ ଚଢ଼ିବା ବି କଷ୍ଟକର ହେଲାନି । ତା’ପରେ ଶାନ୍ତନୁ ଘର ଭିତରକୁ ଚାହିଁଲା ।

 

ବିଶେଷ କିଛି ଦେଖିବାର ଉପାୟ ଅବଶ୍ୟ ନଥିଲା । ବାହାରେ ସୂର୍ଯ୍ୟ ବୁଡ଼ିଲା ପରେ ବି ଦିନର ଆଲୁଅ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଲିଭି ଯାଇନି । ହେଲେ ଘର ଭିତରେ ତା’ର ଆଭାସ ମାତ୍ର ରହିଚି । ଶାନ୍ତନୁର ମନେପଡ଼ିଲା –ପକେଟରେ ଛୋଟ ଟର୍ଚ୍ଚଟା ଆଣିଥିଲା ସେ । ପକେଟରୁ ଟର୍ଚ୍ଚଟା କାଢ଼ି ଆଲୁଅଟା ପକେଇ ଦେଖିବାକୁ ଚେଷ୍ଟା କରୁଥିଲା । ଘରଟା ଭିତରେ କ’ଣ ଅଛି ?

 

ଚମକି ପଡ଼ିଲା ଶାନ୍ତନୁ । କ’ଣ ଗୋଟେ ଶବ୍ଦ ହେଲା ? ସେ ପଛ ପଟକୁ ଚାହିଁଲା । ଚାହିଁଲା ପାଚେରୀଟାର ଫାଙ୍କ ଜାଗାଟାକୁ–ଯୋଉ ବାଟେ ସେ ଆସିଥିଲା । କେହି କୁଆଡ଼େ ଦିଶୁନାହାନ୍ତି । ହୁଏତ ପ୍ରକୃତରେ ବି କେହି ନାହିଁ । କିନ୍ତୁ ମନେହେଲା ଯେମିତି କାହାର ପାଦଶବ୍ଦ ତା’ର କାନରେ ବାଜିଲା । ଶାନ୍ତନୁ ଘର ଭିତରକୁ ଧୀର କରି ଓହ୍ଲେଇ ପଡ଼ିଲା–ଯେମିତି ଜମା ଶବ୍ଦ ନ ହୁଏ–ଏଇ ଚେଷ୍ଟା କରିଥିଲା ସେ । ତେବେ ଡେଇଁ ପଡ଼ିବାକୁ ଯାଇ ଯୋଉ ଛୋଟ ‘‘ଧୁମ୍‌’’ କରି ଶବ୍ଦଟା ହେଲା ଆଶା କରାଯାଉ ସେଇଟା ଅନ୍ୟ କେହି ଶୁଣି ନାହାନ୍ତି ।

 

ଝରକା ଉପରୁ ଚଟାଣଟା ଥିଲା ବେଶ୍‌ ତଳେ–ମନେ ହେଲା ଅନ୍ତତଃ ଛ’ଫୁଟ ତଳେ । ସୁତରାଂ ଡେଇଁବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା । ତଳେ ଠିଆ ହେଇ ଶାନ୍ତନୁ ଟର୍ଚ୍ଚଟା ଜଳେଇ ଦେଲା ।

 

ଛୋଟ ଗୋଟିଏ ଘର । ଗୋଟିଏ ଝରକା ଅଛି–ଯୋଉ ବାଟେ ସେ ଆସିଥିଲା, ଗୋଟିଏ ଦୁଆର–ପାଖକୁ ଯାଇ ଦେଖିଲା ସେ । ବାହାର ପଟୁ ସେଇଟା ବନ୍ଦ ଥିଲା । ଘର ଭିତରେ ଅନ୍ୟ କିଛି ଜିନିଷ ନଥିଲା–ଖଟ କି ଟେବୁଲ କି ଚଉକି । ନଥିବା କଥା–କେତେ ବର୍ଷତଳେ ଯେ ଏ ଘରେ ଲୋକ ରହୁଥିଲେ, କେହି କହି ପାରିବେନି ସେ କଥା । ଅନ୍ତତଃ ଶାନ୍ତନୁ କେବେ ଶୁଣିନି ।

 

ଘରଟା ବିଷୟରେ ଗୋଟେ କାହାଣୀ ସେ ବି ଶୁଣିଥିଲା । ଶୁଣିଥିଲା ଜଣେ ପର୍ତ୍ତୁଗୀଜ ସାହେବ ପ୍ରଥମେ ତିଆରି କରିଥିଲା ଘରଟା । କିନ୍ତୁ ତା’ର ଅତ୍ୟାଚାରରେ ଜର୍ଜରିତ ହୋଇ ଲୋକେ ବହୁ ଦିନ କଷ୍ଟ ପାଇଲା ପରେ, ବହୁତ ଧନଜୀବନ ହାନି ହେଲାପରେ–ଥରେ ସେମାନେ ପ୍ରତିଶୋଧ ନେଲେ । ଭୟଙ୍କର ପ୍ରତିଶୋଧ । ଯୋଉ ଜାଗାରେ ବହୁତ ନିରୀହ, ନିର୍ଦ୍ଦୋଷ ଲୋକଙ୍କୁ ଜୀବନ୍ତ ସମାଧି ଦେଇଥିଲା ସେ, ଠିକ୍‌ ସେଇ ଜାଗାରେ ଦରପୋତା ଅବସ୍ଥାରେ ଦିନେ ତା’ର ମୃତଦେହ ମିଳିଥିଲା । ଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନଥିଲେବି ଜୀବନବି ଆଉ ନଥିଲା ସେଥିରେ । ଲୋକେ କହିଲେ–ସେଥିପାଇଁ ଜୀବନ୍ତ କାହାକୁ ଦାୟୀ କରାଯାଇପାରିବନି । ପ୍ରତିଶୋଧ ନେଇଥିଲେ ସେଇ ଅଶରୀରି ପ୍ରେତାତ୍ମାମାନେ, ଜୀବନ କାଳରେ ଯେଉଁମାନଙ୍କୁ ଦୁଃଖ କଷ୍ଟ ଦେଇ, ହନ୍ତସନ୍ତ କରି ଶେଷକୁ ଜୀବନ୍ତ ସମାଧି ଦେଇ ହତ୍ୟା କରିଥିଲା ସେ । କଥା କେତେଟା ମନେ ପଡ଼ି ଶାନ୍ତନୁର ଦେହ ଶିର୍‌ ଶିର୍‌ କରି ଉଠିଲା ସତ; କିନ୍ତୁ ବନ୍ଦ ଦୁଆରଟା ଆଗରେ ଠିଆ ହେଇ ସେଇଟା ଖୋଲିବା ଚେଷ୍ଟାରୁ ନିବୃତ ହେଲାନି ସେ । ଆଚ୍ଛା–କାନ୍ଥରେ ସେଇଟା କ’ଣ !

 

ବାଁ ପଟର କାନ୍ଥଟା–ଚୂନ ଖସିଛି କିଛି କିଛି, ଧୂଳି, ଅଳନ୍ଧୁରେ ଢାଙ୍କି ହେଇ ଏମିତି ଅବସ୍ଥା ହେଇଛି ଯେ, ଚିହ୍ନିବା କଷ୍ଟକର । ପ୍ରକୃତରେ କ’ଣ ଥିଲା ତା’ର ରଙ୍ଗ । ଆଉ ଠିକ୍‌ ତା’ ମଝିରେ ଛୋଟ ଗୋଟିଏ ଖୋପ । ପୁରୁଣା- କାଳିଆ ଘରମାନଙ୍କରେ ଠଣା ଭଳି ଯେମିତି ସବୁ ଥାଏ–ସେମିତି । ଶାନ୍ତନୁ ପାଖକୁ ଯାଇ ଟର୍ଚ୍ଚ ପକେଇ ଦେଖୁଥିଲା । ଖୋପ ଉପରେ ଛୋଟ ଗୋଟିଏ ଚିତ୍ର–ମହାକାଳୀଙ୍କର । ସିନ୍ଦୂର ଚନ୍ଦନ ଲାଗିଛି ସେଥିରେ–ତା’ରି ପାଖରେ ଛୋଟ ଗୋଟେ ପିତଳର ଦୀପ । ଦୀପଟା ଉଠେଇ ନେବାକୁ ଯାଇ ଶାନ୍ତନୁ ଭାବୁଥିଲା–ଏମିତି ଗୋଟିଏ ଦୀପ ଯୋଗୁଁ ଆଲାଦିନ୍‌ ସମ୍ମୁଖୀନ ହେଇଥିଲା କେତେ ରୋମାଞ୍ଚକର ଘଟଣାର । ଅବଶ୍ୟ ସେଇଟା ଥିଲା ଯାଦୁକରର କୁହୁକ ଦୀପ । ଆଉ ଏଇଟା–ଆରେ ! ଇଏ କ’ଣ ହେଲା ?

 

ଦୀପଟା ଉଠେଇ ନେଇଛି କି ନାହିଁ–‘ଖୁଟ୍‌’ କରି ଶବ୍ଦଟିଏ ହେଲା ଆଉ ଖୋପ ସମେତ କାନ୍ଥଟା ଚାଲିଗଲା ଭିତର ପଟକୁ । ସେଇ ଜାଗାରେ କାନ୍ଥରେ ଦେଖାଗଲା ବେଶ୍‌ ବଡ଼ ଗୋଟିଏ ଫାଙ୍କ । ଜଣେ ମଣିଷ ସହଜରେ ଗଳିଯାଇ ପାରିବ ତା’ ଭିତର ଦେଇ । ଟର୍ଚ୍ଚର ଆଲୁଅରେ ଦିଶୁଥିଲା–ପାହାଚ, ଅନେକଗୁଡ଼ିଏ ସରୁ ପାହାଚ ତଳକୁ ଓହ୍ଲେଇ ଯାଇଛି, ତଳକୁ ଆହୁରି ତଳକୁ । ଟର୍ଚ୍ଚର ଆଲୁଅରେ ବେଶିଦୂର ପର୍ଯ୍ୟନ୍ତ ଅବଶ୍ୟ ଦେଖି ହେଲାନି । ଶାନ୍ତନୁ ପାଦ ପାଦ କରି ଆଗେଇ ଗଲା, ଓହ୍ଲେଇ ଗଲା ତଳକୁ ପାହାଚ ପାହାଚ କରି । ଆଗରେ କ’ଣ ଅଛି ? କୁଆଡ଼େ ଯାଇଛି ଏ ପାହାଚ, କେଉଁଠି ଶେଷ ଏ ସୁଡ଼ଙ୍ଗର ?

 

ବେଶ୍‌ କେତେ ସମୟ ଆଉ ଅନେକ ପାହାଚ ଶେଷରେ ଥିଲା ଗୋଟିଏ ହଲ୍‌ଭଳି ପ୍ରକାଣ୍ଡ ଘର । ଆଉ ସେଇ ଘର ଭିତରେ ଥିଲା ଧାଡ଼ି ଧାଡ଼ି ବସ୍ତା, ଧାଡ଼ି ଧାଡ଼ି ଟିଣ–ଠିକ ଯେମିତି ଗୋଟେ ବଡ଼ ଗୋଦାମ ଘର । ଥକ୍‌କା ହେଇ ଠିଆ ହେଇ ରହିଲା ଶାନ୍ତନୁ । ସେ କ’ଣ ସ୍ୱପ୍ନ ଦେଖୁଛି ?

 

କାହାଣୀରେ ପଢ଼ିଥିଲା ସେ–ଅମୁହାଁ ଦେଉଳର ଅନ୍ଧାରିଆ ସୁଡ଼ଙ୍ଗ ଶେଷରେ ଥିଲା ଅଜଗରର ଗୁହା–ସେ ଏକ ଅଦ୍ଭୁତ, ବିକଟ, ଭୟଙ୍କର ସାପ–ମୁଣ୍ଡରେ ତା’ର ଉଜ୍ଜ୍ୱଳ ମଣି, ଯାହାର ଆଲୋକରେ ଆଲୋକିତ ହେଇଥିଲା ସେ ଗୁହା ଭିତରଟା । ଆଉ ଏଠି ?

 

କାନ୍ଥରେ ଗୁପ୍ତଦ୍ୱାର, ତା’ପରେ ସୁଡ଼ଙ୍ଗର ଅଗଣତି ପାହାଚ ଆଉ ତା’ ଶେଷରେ ସାପ ମୁଣ୍ଡର ମଣିଠାରୁ ବି ମୂଲ୍ୟବାନ ଖାଇବା ଜିନିଷ, ନିତି ବ୍ୟବହାରର ଜିନିଷ–ଯାହାର ଅଭାବରେ ସାଧାରଣ ଲୋକଙ୍କ ଜୀବନ ହୁଏ ଦୁର୍ବିସହ । ସାପ ସିନା ନାହିଁ–ଅଛି ସାପଠାରୁବି ଭୟଙ୍କର ହିଂସ୍ର ଗୋଟିଏ ଛାୟାମୂର୍ତ୍ତି । ଜଣକୁ ସିନା ଦେଖିଛି ସେ–ଚିହ୍ନି ପାରିନି । ତା’ର ପରିଚୟ ଶାନ୍ତନୁର ଯେମିତି ଅଜଣା, ସେମିତି ଅଜଣା ଅନ୍ୟମାନଙ୍କ ପରିଚୟ, ସେଇମାନେ ଏ ଷଡ଼ଯନ୍ତ୍ରର ସଂଗଠକ ।

 

।। ତିନି ।।

 

ବୟସ କମ୍‌ ହେଲେବି ଶାନ୍ତନୁ ଜାଣିଥିଲା ଯେ କେତେକ ଷଡ଼ଯନ୍ତ୍ରକାରୀଙ୍କ ମାରାତ୍ମକ ସ୍ୱାର୍ଥପରତା ଯୋଗୁଁ ଦେଶରେ ସୃଷ୍ଟି ହେଇଛି କୃତ୍ରିମ ଅଭାବ । ଲୋକମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରକୁ ଲୋକଲୋଚନର ଅଗୋଚରରେ ସେମାନେ ଲୁଚାଇ ରଖିଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ହେଲା, ପରେ ସେଗୁଡ଼ିକ ଅଧିକ ଦାମରେ ବିକ୍ରି କରିବେ । ଏଇଥିଯୋଗୁଁ ଦିନକୁ ଦିନ ଅଧିକରୁ ଅଧିକ ଦୁର୍ମୂଲ୍ୟ ହେଇ ଉଠୁଛି ଜିନିଷପତ୍ର ।

 

ଶାନ୍ତନୁ ଗୋଟି ଗୋଟି କରି ଦେଖୁଥିଲା–ଚିନି ବସ୍ତା, ଗହମ ବସ୍ତା, ଚାଉଳ ବସ୍ତା, ଗୁଣ୍ଡଦୁଧ ଟିଣ, ଶିଶୁ ଖାଦ୍ୟ ଟିଣ, ତେଲ, ଘିଅ ଟିଣ । ବୁଲି ବୁଲି ଦେଖୁ ଦେଖୁ ଶକ୍ତ ହେଇ ଉଠିଲା ଶାନ୍ତନୁର ମୁହଁ ।

 

ଏଇମାନେ ଆମର ଶତ୍ରୁ–ଆମ ଦେଶର ଶତ୍ରୁ । ଏଇମାନେ ଦାୟୀ ଏ ଦେଶର ଅଗଣିତ ନିରୀହ ଜନତାର ଦୁଃଖ ଦୁର୍ଦ୍ଦଶା ଲାଗି । ନିଜର ସ୍ୱାର୍ଥ ଲାଗି ଏମାନେ ସବୁ କିଛି କରିପାରିବେ । ଏମାନଙ୍କର ଶାସ୍ତି ହେବା ଦରକାର । ଶାନ୍ତନୁ ବୁଝିପାରିଲାନି ସେ କ’ଣ କରିବ, କ’ଣ କରିବା ତା’ର ଉଚିତ । ଟର୍ଚ୍ଚ ଲିଭାଇ ଚୁପଚାପ୍‌ ଠିଆ ହୋଇ ସେଇଆ ଭାବୁଥିଲା ଶାନ୍ତନୁ ।

 

କ’ଣ ଗୋଟେ ଶବ୍ଦ ଶୁଭିଲାନି ? ହଁ–କାହାର ପାଦଶବ୍ଦ, ପାଦେ ପାଦେ କରି କିଏ ଜଣେ ଆଗେଇ ଆସୁଥିଲା । ବୋଧହୁଏ ସିଢ଼ିରେ ଓହ୍ଲେଇ ଆସୁଥିଲା ସେ । ଟର୍ଚ୍ଚ ଆଲୁଅରେ ଶାନ୍ତନୁ କେତେ ମୁହୂର୍ତ୍ତ ଲାଗି ଦେଖିନେଲା । ବାଁ ପଟ କାନ୍ଥଠାରୁ ଟିକେ ଛଡ଼ାରେ–ଯୋଉଠି ବଡ଼ ବଡ଼ ଟିଣଗୁଡ଼ା ଅଛି, ହୁଏତ ଘିଅ କି ତେଲଟିଣ ତା’ରି ପଛରେ ଯାଇ ଠିଆ ହେଲା । ଏଠି ତା’ର ଉପସ୍ଥିତିକୁ ସେମାନେ ହୁଏତ ପସନ୍ଦ କରିବେନି । ସେ ଠିଆ ହେଇଥିଲା ଆଉ ଅପେକ୍ଷା କରୁଥିଲା-

 

ଯଦି ସେ ଧରା ପଡ଼ିଯାଏ ? କଥାଟା ମନକୁ ଆସିଲା ତା’ର । କାନରେ ବାଜୁଥିଲା ପାଦଶବ୍ଦ–ପାଖରେ–ଖୁବ୍‌ ପାଖରେ । ହୁଏତ ସିଢ଼ିର ଶେଷ ଅଂଶରେ ଆସି ପହଞ୍ଚିଛି ଲୋକଟା । ମନ ଦେଇ ଶୁଣିଲା ଶାନ୍ତନୁ–ନାଁ ଅନୁମାନ ତା’ର ଭୁଲ ନୁହେଁ । ଜଣେ ଲୋକ । କିଏ ସେ ?

 

କାଲି ରାତିର ସେ ଛାୟାମୂର୍ତ୍ତି ନୁହେଁ ତ ? ମନ ଭିତରର ଉଦ୍‌ବେଗ ଆଉ କୌତୁହଳ ଯୋଗୁଁ ଶାନ୍ତନୁ ଭୁଲି ଗଲା ତା’ର ନିଜର ବିପଦ କଥା । କିଏ ସେ ଲୋକଟା ? ଏଭଳି ଭୟଙ୍କର ଷଡ଼ଯନ୍ତ୍ରର କର୍ତ୍ତା ?

 

ଖୁଟ୍‌ କରି ଛୋଟ ଶବ୍ଦଟିଏ ହେଲା । କେତେ ମୁହୂର୍ତ୍ତ ପାଇଁ ଜଳିଉଠିଲା ଡିଆସିଲି । ତା’ପରେ ଲୋକଟା ହୁଏତ ମହମବତୀ ବା ଦୀପଟିଏ ଜଳେଇଲା ।

 

‘‘ଦୁଆରଟା ମେଲା ରହିଲା କେମିତି ?’’ ପ୍ରାୟ ନିଜ ମନକୁ ମନ କହିଲେ ବି, ଲୋକଟାର କଥା କେତେଟା ଶାନ୍ତନୁ କାନରେ ବାଜିଲା । ନିଶ୍ଚଳ ଭାବରେ ସେ ଠିଆ ହେଇ ରହିଥିଲା ।

 

ଲୋକଟାକୁ ଅବଶ୍ୟ ସେ ଦେଖିପାରୁ ନଥିଲା କିନ୍ତୁ ଆଲୁଅଟା ଏ ପାଖ ସେପାଖ ହେବାରୁ ଶାନ୍ତନୁ ବୁଝିପାରିଲା ଯେ, ଏପଟ ସେପଟ ବୁଲି ଲୋକଟା ଖୋଜୁଛି । ଖୋଜୁଛି ତାକୁ–ଯେ ଜାଣି ନେଇଛି ତାଙ୍କର ଗୁପ୍ତ ଭଣ୍ଡାରର ସନ୍ଧାନ । ଯଦି ସେ ଶାନ୍ତନୁକୁ ଦେଖେ–ତେବେ ନିଶ୍ଚୟ ପ୍ରତିଶୋଧ ନେବ । କାରଣ ଶାନ୍ତନୁ ଜାଣିଛି ସେମାନଙ୍କ କୀର୍ତ୍ତିକଳାପ କଥା–ଜାଣିଛି ସେମାନଙ୍କର ଗୁପ୍ତ-ଭଣ୍ଡାର କଥା । ତା’ରି ଯୋଗୁଁ ବିପଦରେ ପଡ଼ିବାକୁ ହେଇପାରେ ।

 

କେବଳ ଶାନ୍ତନୁ ଜାଣିଲେ ବି କରିବ କ’ଣ ? ଶାନ୍ତନୁ ଭାବୁଥିଲା–ଏମାନଙ୍କର ଦରକାର ଶାସ୍ତି–ଆଇନ ଅନୁସାରେ, ଆଇନ ଆଖିରେ ଧୂଳି ଦେଇଥିବାର ଶାସ୍ତି । ସେମାନଙ୍କୁ ଶାସ୍ତି ଦେବାକୁ ହେଲେ ଏକା ଶାନ୍ତନୁତ କିଛି କରିପାରିବନି । ତା’ର ଦରକାର ସାହାଯ୍ୟ–ଆଇନର ସାହାଯ୍ୟ । ଲୋକଟିର ଗତିବିଧି ଉପରେ ଆଖି ରଖୁ ରଖୁ, ଶାନ୍ତନୁ ଠିକ୍‌ କରୁଥିଲା ତା’ର କର୍ତ୍ତବ୍ୟ ।

 

ଲୋକଟା ମହମବତୀ ଧରି ଚାଲିଗଲା ଶାନ୍ତନୁ ଆଗ ଦେଇ–ମଝିରେ ମାତ୍ର କେତେ ଇଞ୍ଚର ଆଉ କେତେଟା ଟିଣର ବ୍ୟବଧାନ । ଶାନ୍ତନୁ ନିଶ୍ୱାସ ବନ୍ଦ କରି ଚାହିଁ ରହିଥିଲା । ଅନ୍ତତଃ ଲୋକଟାର ପରିଚୟ ଯଦି ଜାଣି ହୁଅନ୍ତା । କେତେ ସେକେଣ୍ଡ ପାଇଁ ମୁହଁଟା ତା’ ଆଖିରେ ପଡ଼ିଲା । ଚିହ୍ନା ଚିହ୍ନା ଲାଗିଲେବି ସେ ଠିକ୍‌ କରିପାରୁ ନଥିଲା । କିଏ ଏ ଲୋକଟା, କୋଉଠି ସେ ଦେଖିଛି ତାକୁ ?

 

ଲୋକଟା ଘରସାରା ବୁଲିଲେ ବି, କେଜାଣି କାହିଁକି ଟିଣ ବା ବସ୍ତା ପଛ ଦେଖିଲାନି । ହୁଏତ ଗୁପ୍ତ–ଭଣ୍ଡାରର ନିରାପତ୍ତା ସଂପର୍କରେ ସେମାନେ ଏତେ ନିଶ୍ଚିନ୍ତ ଥିଲେ ଯେ–ଏଠିକି ଅନ୍ୟ କେହି ଆସିପାରେ ବା ଏହାର ସନ୍ଧାନ ଅନ୍ୟ କେହି ଜାଣିଥାଇପାରେ ସେଇଟା ଥିଲା ସେମାନଙ୍କ କଳ୍ପନାର ବାହାରେ । ଲୋକଟାର ପାଦଶବ୍ଦ ବାଜୁଥିଲା ଶାନ୍ତନୁ କାନରେ । ହୁଏତ ଖୋଜିବା ତା’ର ଶେଷ ହେଇଛି । ଏଇଥର ଫେରିଯିବ ସେ । କିନ୍ତୁ– ।

 

ଚମକି ପଡ଼ିଲା ଶାନ୍ତନୁ ନିଜ ଭାବନାରେ । ଆସିବାବେଳେ ଦୁଆର ଖୋଲା ଥିବାରୁ ଲୋକଟା ସନ୍ଦେହ କରିଥିଲା, ଆଉ ସେଇଥିପାଇଁ ପ୍ରାୟ ଦଶ ମିନିଟ ଲାଗି ତନ୍ନ ତନ୍ନ କରି ଖୋଜିଥିଲା ଚାରିଆଡ଼ । ତା’ପରେ ଯେତେବେଳେ ସେ ଫେରିଯିବ–ନିଶ୍ଚୟ ଦୁଆର ଖୋଲା ରଖି ଦେଇ ଯିବନି ।

 

ଯଦି ଦୁଆରଟା ବାହାର ପଟୁ ବନ୍ଦ ହୋଇଯାଏ, ଭିତର ପଟୁ ସେଇଟା ଖୋଲି ହେବ କି ନାହିଁ କିଏ ଜାଣେ ? ସେ କଥା ଲକ୍ଷ୍ୟ କରିବାର ସୁବିଧା ଶାନ୍ତନୁର ହେଇନି । ଏବେ ଲୋକଟା ବାହାରି ଯାଇ କାନ୍ଥର ଗୁପ୍ତଦ୍ୱାରଟା ଯଦି ବନ୍ଦ କରି ଦିଏ, ଶାନ୍ତନୁ ଏଠୁ ବାହାରିବ କେମିତି ? ତେବେ ଉପାୟ ?

 

ସେ ପାଦ ଚିପି ଚିପି ଧୀରେ ସିଢ଼ି ଆଡ଼େ ଗଲା । ବାଁ ହାତରେ ଟର୍ଚ୍ଚଟା ଧରି ଡାହାଣହାତଟା ଆଲୁଅ ଉପରେ ରଖିଲା । ସାମାନ୍ୟ ଟିକେ ଆଲୁଅ ନ ହେଲେ ସେ ଝୁଣ୍ଟି ପଡ଼ିପାରେ । ତାହେଲେ ତ ସେ ଆଉ ନିଜକୁ ଲୁଚାଇ ରଖିପାରିବନି । ସିଢ଼ି ପାଖରେ ପହଞ୍ଚିଲା ପରେ ସେ ପୁଣି ଅଟକିଲା । ସିଢ଼ି ଦେଇ ଲୋକଟା ଉଠି ଯାଉଛି । ପାଦଶବ୍ଦ କାନରେ ବାଜୁଥିଲା । କିନ୍ତୁ ଶାନ୍ତନୁର ବି କିଛି ଉପାୟ ନଥିଲା ।

 

ଯେ ଏ ଷଡ଼ଯନ୍ତ୍ରର ମୂଳ, ଏତେ ବଡ଼ ଅପରାଧରେ ଯେ ଅପରାଧୀ, ତା’ର ଶାସ୍ତି ହେବା ଦରକାର । ତାକୁ ଧରାଇ ଦେବା ଶାନ୍ତନୁର କର୍ତ୍ତବ୍ୟ । ପୁଣି ସେଇଥିପାଇଁ ଏଠୁ ନିରାପଦରେ ଫେରିଯିବା ଓ ଖବରଟା ଠିକ୍‌ ଜାଗାରେ ପହଞ୍ଚାଇ ଦେବା ମଧ୍ୟ ତା’ର କର୍ତ୍ତବ୍ୟ । ସେଥିପାଇଁ ଏକମାତ୍ର ଉପାୟ ହେଲା ଲୋକଟା ପଛେ ପଛେ ଯାଇ ଏଠୁ ବାହାରି ଯିବା । ନ ହେଲେ ହୁଏତ ଏଠୁ ବାହାରିବା କଷ୍ଟକର ହେଇପାରେ ।

 

ଯଥାସମ୍ଭବ କମ୍‌ ଶବ୍ଦ କରି ଶାନ୍ତନୁ ସିଢ଼ିରେ ଉଠୁଥିଲା । ଟର୍ଚ୍ଚଟା ପାଖରେ ଥିଲେବି ଜଳେଇବାର ଉପାୟ ନାହିଁ ଆଉ । କାରଣ ଖୋଲା ସିଢ଼ିଟାରେ ଆଲୁଅଟା ଲୁଚେଇ ହେବନି । ସୁତରାଂ ମଝିରେ ମଝିରେ ଅଟକି ଟର୍ଚ୍ଚ ଆଲୁଅଟାକୁ ଘୋଡ଼େଇ ତା’ରି କ୍ଷୀଣ ଆଭାରେ ବାଟଟା ଦେଖି ନେଉଥିଲା । ତା’ପରେ ସତର୍କ ଭାବରେ ସେଇ ବାଟ ଦେଇ ସେ ଆଗେଇ ଯାଉଥିଲା ।

 

ମନରେ ତା’ର ସବୁଠାରୁ ବେଶି ଆଶଙ୍କା ଥିଲା–କାଳେ ଲୋକଟା ବାହାରି ଚାଲିଯିବ ଆଉ ବାହାର ପଟୁ ବନ୍ଦ କରି ଦେବ କାନ୍ଥର ଗୁପ୍ତଦ୍ୱାର । ଶାନ୍ତନୁ ନିଜର ବିପଦ କଥା ଆଦୌ ଚିନ୍ତା କରୁ ନଥିଲା । ବରଂ ତା’ର ଭୟ ହେଉଥିଲା ଯେ ଠିକ୍‌ ସମୟରେ ଖବରଟା ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚେଇ ନ ଦେଲେ ଲୋକଗୁଡ଼ାଙ୍କୁ ଧରିବା ହୁଏତ ସମ୍ଭବ ହେବନି ।

 

କାନରେ ବାଜୁଥିବା ପାଦଶବ୍ଦ ବନ୍ଦ ହେଇଯିବାରୁ ଶାନ୍ତନୁବି ଠିଆ ହେଇ ପଡ଼ିଲା । ଲୋକଟା ବୋଧେ ସିଢ଼ିର ସଭା ଉପର ଧାପରେ ପହଞ୍ଚି ସାରିଛି । ଏଇଥର ଗୁପ୍ତଦ୍ୱାର ଦେଇ ବାହାରିଯିବ ସେ । ଶାନ୍ତନୁ ପାଦ ଚିପି ଚିପି ଆହୁରି କେତେ ଧାପ ଆଗେଇ ଗଲା ।

 

କାନ୍ଥର ଫାଙ୍କ ଦେଇ ଲୋକଟା ଘର ଭିତରକୁ ଗଲା । କ’ଣ କରାଯାଇପାରେ ? ଯଦି ମାତ୍ର କେଇ ମୁହୂର୍ତ୍ତ ଲାଗି ତାକୁ ଅନ୍ୟମନସ୍କ କରାଯାଇପାରେ–ତେବେ ସେଇ ସୁବିଧାରେ ଶାନ୍ତନୁ ବି ଗୁପ୍ତଦ୍ୱାର ଦେଇ ବାହାରି ଯାଇପାରିବ । ଶାନ୍ତନୁ ଚିନ୍ତା କରୁଥିଲା । କୌଣସି ଗୋଟାଏ ଜିନିଷ ଯଦି ଫିଙ୍ଗି ଦେଇ ହୁଅନ୍ତା ।

 

ପକେଟରେ ହାତ ଦେଲା ସେ, ହାତରେ ବାଜିଲା ମାତ୍ର ଖଣ୍ଡେ କାଗଜ ପୂର୍ବରାତିରେ ରାସ୍ତାରୁ ପାଇଥିବା ସେଇ ଚିଠିଟା । ନାଁ–ଶେଷ ପର୍ଯ୍ୟନ୍ତ ଟର୍ଚ୍ଚଟାର ଆଶା ତାକୁ ଛାଡ଼ିବାକୁ ହେବ । ସେଇଟାକୁ ବ୍ୟବହାର କରିବ ସେ ।

 

ଲକ୍ଷ୍ୟ କରି ମହମବତୀଟା ଉପରକୁ ଶାନ୍ତନୁ ଫିଙ୍ଗି ଦେଲା ଟର୍ଚ୍ଚଟା । ଶବ୍ଦଟାରୁ ମନେ ହେଲା ସେଇଟା ବୋଧେ ବେଶ୍‌ ଜୋରରେ ବାଜିଲା ଲୋକଟା ହାତରେ । ମହମବତୀଟା ଖସିପଡ଼ିଲାତଳେ ଆଉ ଥରି ଥରି ଲିଭିଗଲା । ପରମୁହୂର୍ତ୍ତରେ ଶାନ୍ତନୁ ଦୌଡ଼ାରେ ବାକି କେଇଟା ପାହାଚ ପାର୍‌ ହୋଇ ଗୁପ୍ତଦ୍ୱାର ଦେଇ ପହଞ୍ଚିଗଲା ଘରଟା ଭିତରେ ।

 

ବାହାରେ ଏ ମଧ୍ୟରେ ରାତି ହେଇସାରିଥିଲା । ଦୂର ରାସ୍ତାର ଆଲୁଅର ଆଭାସ ଦେଖି ଶାନ୍ତନୁ ଝରକାଟାର ଅବସ୍ଥିତି ପୁଣି ଖୋଜି ପାଇଲା । ତା’ର ମୁକ୍ତିର ଏକମାତ୍ର ପଥ । ନିଃଶବ୍ଦରେ ଆଗେଇ ଯିବାକୁ ଯାଇ, ସେ ନିଜର ନିଶ୍ୱାସ ଶବ୍ଦକୁ ବି ଯଥାସାଧ୍ୟ କମ୍‌ କରିବାକୁ ଚେଷ୍ଟା କରୁଥିଲା-। ପାଦ ପାଦ କରି ସେ ଆଗେଇ ଯାଉଥିଲା ଝରକାଟା ଆଡ଼କୁ । ଯଦି କୌଣସିମତେ ସେ ବାଟ ଦେଇ ବାହାରକୁ ଚାଲି ଯାଇପାରନ୍ତା ସେ ।

 

ଲୋକଟା ବୋଧେ ନଇଁପଡ଼ି ତଳଟା ଅଣ୍ଡାଳୁ ଥିଲା । ହୁଏତ ମହମବତୀଟା ସେ ଖୋଜୁଥିଲା । ଏଇ ତ ସୁଯୋଗ । ତା’ର ଅନ୍ୟମନସ୍କ ହେବା ଆଉ ଘରର ଅନ୍ଧାରର ସୁବିଧା ନେଇ ଶାନ୍ତନୁ ପଳେଇ ଯାଇପାରିବ । ତା’ରି ନିରାପଦରେ ଏଠୁ ପଳେଇଯିବା ଉପରେ ନିର୍ଭର କରୁଛି ଏ ଷଡ଼ଯନ୍ତ୍ରର ରହସ୍ୟ ଭେଦ ।

 

ମଣିଷ ସମାଜରେ, ମଣିଷ ବେଶରେ ଯୋଉ କେତେ ଜଣ ଅମଣିଷ ପଶୁ ଘୁରି ବୁଲୁଛନ୍ତି–ସେମାନଙ୍କର ପ୍ରକୃତ ପରିଚୟ ସବୁରିକି ଜଣାଇଦେବାକୁ ହେବ । ଆଇନ ହାତରେ ଉପଯୁକ୍ତ ଶାସ୍ତି ପାଇବାରୁ ସେମାନେ ଯେମିତି ରକ୍ଷା ପାଇ ନ ଯାଆନ୍ତି, ସେ ବ୍ୟବସ୍ଥାବି କରିବାକୁ ହେବ ।

 

ଝରକାତଳେ ନଇଁ ପଡ଼ିଲା ଶାନ୍ତନୁ । ତା’ର ଆଙ୍ଗୁଠି ଛୁଇଁଲା କ’ଣ ଗୋଟାଏ ? ବାହାରେ ଯୋଉ ଟିଣଟା ପକେଇ ସେ ଚଢ଼ିଥିଲା ଝରକା ଉପରକୁ, କୋଳି ଗଛମୂଳର ସେଇ ଟିଣଟା । ହୁଏତ ଲୋକଟାବି ସେଇଟାକୁ ବ୍ୟବହାର କରିଚି । ଝରକାତଳେ ସେଇଟାକୁ ଦେଖି ବୋଧହୁଏ ତା’ ମନରେ ସନ୍ଦେହ ହେଇଥିବ ।

 

ଶାନ୍ତନୁ ଧୀରେ ତା’ ଉପରେ ଚଢ଼ି, ହାତ ବଢ଼େଇ ଉଠିଗଲା ଝରକା ଉପରକୁ । ଠିକ୍‌ ଯୋଉ ମୁହୂର୍ତ୍ତରେ ସେ ଝରକା ଉପରକୁ ଚଢ଼ିଲା, ସେଇ ମୁହୂର୍ତ୍ତରେ ଟର୍ଚ୍ଚର ଆଲୁଅଟା ଘୂରି ଆସି ତା’ ଉପରେ ପଡ଼ିଲା । ବୁଝିପାରିଲା ଶାନ୍ତନୁ–ଯୋଉ ଟର୍ଚ୍ଚଟା ଫିଙ୍ଗି ଦେଇଥିଲା ସେ–ସେଇ ଗୋଟାକ ପଡ଼ିଛି ଲୋକଟାର ହାତରେ । କିନ୍ତୁ ସେ ବିଷୟରେ ଚିନ୍ତା କରିବାକୁ ଆଉ ତା’ର ସମୟ ନଥିଲା । ଆଲୁଅଟା ତା’ ଉପରେ ପଡ଼ିଲା ଏବଂ ତା’ପରେ ପରେ ଦୌଡ଼ିବାକୁ ଆରମ୍ଭ କଲା ।

 

ପାଚେରୀଟାର ଫାଙ୍କ ବାଟଟା, ବୁଦି ବୁଦିକିଆ ଜଙ୍ଗଲିଆ ଘର ପଛ ପଡ଼ିଆଟା ପାର ହେଇ ସେ ଯେତେବେଳେ ରାସ୍ତା ଉପରେ ପହଞ୍ଚିଲା–ସେତେବେଳକୁ ଝୁଣ୍ଟି ପଡ଼ି, କଣ୍ଟା ଲାଗି ଗୋଡ଼ହାତ ତା’ର ଖଣ୍ଡିଆ ହେଇ ସାରିଥିଲା । କିନ୍ତୁ ତା’ ବୋଲି ଅଟକିଲାନି ସେ । ପ୍ରାଣପଣେ ଜୋରରେ ଦଉଡ଼ି ସେ ଘରେ ପହଞ୍ଚିଲା ଆଉ କ୍ଲାନ୍ତ ଭାବରେ ଯେତେବେଳେ ସେ ଦାଣ୍ଡଘର ଚଉକି ଉପରେ ବସି ପଡ଼ିଲା କେତେ ମୁହୂର୍ତ୍ତ ଲାଗି ନିଶ୍ଚଳ, ନିସ୍ତବ୍ଧ ହେଇଗଲା ସେ ।

 

ଘଟଣାଟା ସ୍ୱପ୍ନ ନୁହେଁ । ଘଟଣାଟା ସତ । ତା’ର ଦେହ ହାତର ଖଣ୍ଡିଆଖାବର ଦାଗ ତା’ର ପ୍ରମାଣ ।

 

ତେବେ ଏଥର ଉପାୟ ? ଗଭୀର ମନଯୋଗ ଦେଇ ସେଇ କଥା ସେ ଚିନ୍ତା କରୁଥିଲା-

 

।। ଚାରି ।।

 

ସ୍କୁଲ ଛୁଟି ପରେ ସେ ଦିନ କ୍ଲାସ ଛପପଟ ପଡ଼ିଆରେ ବସିଥିଲା ଛୋଟ ଧରଣର ଗୋଟିଏ ବୈଠକ । କହିବାର ଦାୟିତ୍ୱ ପଡ଼ିଥିଲା ଶାନ୍ତନୁ ଉପରେ । ମଝିରେ ମଝିରେ ଗୋଟିଏ ଅଧେ ପ୍ରଶ୍ନ କରିବା ଛଡ଼ା ପ୍ରାୟ ଚୁପ୍‌ଚାପ୍‌ ଥିଲେ ତା’ର ଶ୍ରୋତା ଚାରିଜଣ ।

 

ଆଲୋକ ହେଲା ବନ୍ଧୁମାନଙ୍କ ମଧ୍ୟରୁ ଶାନ୍ତନୁର ସବୁଠୁ ବେଶି ଅନ୍ତରଙ୍ଗ । ବହୁତ ପିଲାଦିନରୁ ସାଙ୍ଗ ସେ ଦିହେଁ । ଆଉ ସେଇଥିପାଇଁ ନିଜେ ପ୍ରକାଣ୍ଡ ତିନିମହଲା ଘରେ ରହିଲେବି ଆଲୋକ କେବେ ନିଜ ଠାରୁ ଅଲଗା କରି ଦେଖିନି ଚାଳ ଘରେ ରହୁଥିବା ଶାନ୍ତନୁକୁ । ତା’ର ବ୍ୟବହାର ଖୁବ୍‌ ଭଲ, ପୋଷାକପତ୍ର ସାଦାସିଧା ଆଉ ମନ ତା’ର ଭାରି ସରଳ । ସେଇଥିପାଇଁ ତାକୁ ଏତେ ଭଲପାଏ ଶାନ୍ତନୁ ।

 

ରବି ହେଲା ସେମାନଙ୍କ ଦଳରେ ବୟସରେ ସବୁଠୁ ସାନ । ପାତଳା, ଗେଡ଼ା ଆଉ ଛୋଟ ପିଲାଟିଏ । କିନ୍ତୁ ଦରକାର ପଡ଼ିଲାବେଳେ ଉପସ୍ଥିତ ବୁଦ୍ଧି ଯୋଗେଇବାରେ, ତା’ର ସମକକ୍ଷ ମିଳିବା କଷ୍ଟକର । ଛୋଟ ମୁହଁଟି ଭିତରେ ସବୁଠୁ ବଡ଼ ଆଉ ଚଞ୍ଚଳ ହେଲା ତା’ର ଆଖି ଦି’ଟା । ଅଥଚ ତାକୁ ଦେଖିଲେ ଯେ କେହି ନିରୀହ ବୋଲି ମନେ କରିବ ।

 

ପ୍ରଶାନ୍ତ ହେଲା ଦଳର ସବୁଠୁ ବଳୁଆ । ସବା ପ୍ରଥମେ ଦେହରେ ବଳ ଆଣିବା ଉଚିତ–ଏଇ ଧାରଣା ନେଇ ସେ ଅନ୍ୟ ସବୁରିକି କୁସ୍ତି, କସରତ୍‌, ବ୍ୟାୟମ ଆଉ ଆସନ କରାଏ । ଦରକାର ହେଲେ ଜୋର୍‌ କରି ସେ ତା’ର ବନ୍ଧୁମାନଙ୍କୁ ବସ୍‌ଉଠ୍‌ବି କରାଏ । ତଥାପି ତାକୁ ସମସ୍ତେ ଭଲପାଆନ୍ତି ତା’ର ଖୋଲା ମନ ଲାଗି ଆଉ ସେଇଥିପାଇଁ ଇଚ୍ଛା ନଥିଲେ ବି ବାଧ୍ୟରେ ପଡ଼ି ବ୍ୟାୟାକ, ପ୍ରାଣାୟମ କରନ୍ତି ସମସ୍ତେ ।

 

ଭାନୁ ହେଲା ମୋଟାସୋଟା ଗୋଲଗାଲିଆ ପିଲାଟିଏ । ରବି ତ ମୁହଁ ଉପରେ ଚିଡ଼ାଏ ତାକୁ । କହେ, ‘‘ଗାଲ ତ ନୁହେଁ–ଦି’ଟା ଆଠଣିଆ ରସଗୋଲା ।’’ ପ୍ରଶାନ୍ତ ଭାରୀ ବିରକ୍ତ ହୁଏ ତା’ ଉପରେ । କହେ, ‘‘ଏଇ ଦିନୁ ତ ଏତେ ମୋଟା ହେଲୁଣି । ବଡ଼ ହେଲାବେଳକୁ ମୁଣ୍ଡ, ଗୋଡ଼, ହାତ ଆଉ କିଛି ରହିବନି ତୋର । ଥିବ ଏକମାତ୍ର ପେଟ ।’’ ଲାଜରେ ଲାଲ ପଡ଼ିଯାଏ ଭାନୁ କିନ୍ତୁ ସୁବିଧା ପାଇଲେ ଜଳଖିଆ ଦୋକାନକୁ ଯାଇ ଖାଇନିଏ ରାବିଡ଼ି, ରସମଲାଇ ନ ହେଲେ ରାଜଭୋଗ । ଅବଶ୍ୟ ଅନ୍ୟମାନଙ୍କୁ ଭାଗ ଦେବାକୁ ଆପତ୍ତି ନାହିଁ ତା’ର ।

 

ଶାନ୍ତନୁ ପୂର୍ବ ଦୁଇ ଦିନର ଘଟଣା ବର୍ଣ୍ଣନା କରିବା ପରେ ପରେ ତା’ କଥା ସରୁ ନ ସରୁଣୁ ପ୍ରଥମେ କଥା କହିଲା ପ୍ରଶାନ୍ତ ।

 

–‘‘ବୁଝିଲୁ ନା ଭାଇ, ଏଇ ଭଳିଆ ପାଜି ଲୋକଗୁଡ଼ାଙ୍କୁ ଧରି ଚୌକସ ଛେଚା ଦେବା ଦରକାର ।’’

 

ଶାନ୍ତନୁ ଅନ୍ୟମନସ୍କ ଭାବରେ କ’ଣ ଭାବୁଥିଲା । ରବି କିନ୍ତୁ ହସି ପକେଇଲା ।

 

–‘‘ଅନ୍ୟମାନଙ୍କୁ ଚୌକସ ଛେଚା ଦେବା ଲାଗି ନିଜେ ପ୍ରସ୍ତୁତ ନଥିଲେ, ସେମାନେ ଏମିତି ଗୋଟେ ବିପଦ୍‌ଜନକ କାମ ବାଛି ଥା’ନ୍ତେ ଭାବୁଚୁ ?’’

 

ଭାନୁ କହିଲା, ‘‘କିନ୍ତୁ ଆମେ କ’ଣ କରିପାରିବା–ମୁଁ ତ ବୁଝିପାରୁନି ? ବଡ଼ ବଡ଼ ଲୋକ ସେମାନେ । ହୁଏତ ତାଙ୍କର ଗୋଟେ ସଂଗଠିତ ଦଳ ବି ଅଛି–ଯେଉଁମାନେ ଏଇ ସବୁ କାମରେ ଓସ୍ତାଦ୍‌ । ଆମେ ମାତ୍ର କେଇଟା ଅର୍ବାଚିନ ପିଲା । ଆମେ କ’ଣ ବା କରିପାରିବା ? ମୋର ତ ମନେ ହଉଚି ଏ ସବୁରେ ମନ ଦେଲେ ତୁଚ୍ଛାଟାରେ ନିଜ ଉପରକୁ ବିପଦ ଡାକି ଆଣିବାର ସାର ହେବ ।’’ ସବୁରିକି ଅନ୍ୟମନସ୍କ ଦେଖି ଭାନୁ ଧୀରେ ଚକୋଲେଟ୍‌ଟିଏ ପକେଟରୁ କାଢ଼ି ପାଟିରେ ପକେଇଲା ।

 

ଆଲୋକ କହିଲା, ‘‘ସେଇଥିପାଇଁ ଗୋଟିଏ ବଡ଼ କଥା ହେଲା–ଆମେ ଯାହା କରୁ କି ନ କରୁ–ସେ କଥାର କୌଣସି ଚିହ୍ନ ବର୍ଣ୍ଣବି ଯେମିତି ନ ପାଆନ୍ତି ଲୋକଗୁଡ଼ାକ । ଦରକାର ଖୁବ୍‌ ସାବଧାନ ହେବା । ତା’ ନ ହେଲେ ବିପଦ ହେଇଯିବ, କାମ ବି ହବନି କିଛି ।’’

 

ରବି କ’ଣ ଭାବୁ ଭାବୁ କହିଲା–‘‘କିନ୍ତୁ ତା’ ଭିତରୁ ଅନ୍ତତଃ ଜଣେ ଶାନ୍ତନୁକୁ ଚିହ୍ନିଚି–ସେଇଥିପାଇଁ ସବୁଠୁ ବେଶି ସାବଧାନ ହେବା ଦରକାର ଶାନ୍ତନୁର ।’’

 

ଶାନ୍ତନୁର ମନେପଡ଼ିଗଲା । ଠିକ୍‌ ଝରକା ଉପରେ ଯେଉଁ ମୁହୂର୍ତ୍ତରେ ସେ ଚଢ଼ିଲା–ଟର୍ଚ୍ଚର ଆଲୁଅଟା ବୁଲି ଆସି ସ୍ଥିର ହେଇଗଲା ତା’ରି ଉପରେ । ଯାହା ହାତରେ ଆଲୁଅଟା ଥିଲା, ସେ ଅନ୍ତତଃ କେତେ ସେକେଣ୍ଡ ପାଇଁ ପରିଷ୍କାର ଭାବରେ ଶାନ୍ତନୁକୁ ଦେଖିଛି । କଥାଟା ମନେପଡ଼ି ତା’ର ଦେହଟା କେମିତି ଶିର୍‌ ଶିର୍‌ କରି ଉଠିଲା । କେତେ ଲୋକଙ୍କର–ନିରପରାଧ, ନିରୀହ ଲୋକଙ୍କର ମୁହଁରୁ ଖାଇବା ଯେ କାଢ଼ି ନେଇପାରେ–ସେ ସବୁ କରିପାରେ । ଶାନ୍ତନୁ ସେମାନଙ୍କ ଗୁପ୍ତ ଭଣ୍ଡାରର ସନ୍ଧାନ ଜାଣେ–ଏଇତକ ତା’ର ଯଥେଷ୍ଟ ଅପରାଧ ।

 

ଶାନ୍ତନୁ କହିଲା, ‘‘ଯୋଉମାନେ ନିଜର ସ୍ୱାର୍ଥ ପାଇଁ ଏତେ ଜଣ ନିରୀହ, ନିରପରାଧ ଲୋକଙ୍କୁ ଭୋକିଲା ରଖିବାକୁ ପଛାନ୍ତିନି ସେମାନେ ଦରକାର ପଡ଼ିଲେ ଆମର ମୁହଁ ବନ୍ଦ କରିବାକୁ ଚେଷ୍ଟା କରିବେ । ସେମାନେ ଚାହିଁବେ ଆମର ମୁହଁ ବନ୍ଦ ହେଇଯାଉ ସବୁଦିନ ଲାଗି । ସେଇଥିପାଇଁ କିଛି କରିବା ଆଗରୁ, ଏ ବିଷୟରେ ଆମକୁ ଖୁବ୍‌ ସାବଧାନ ହେବାକୁ ପଡ଼ିବ । ଆମେ କ’ଣ କରୁଚୁ, ଆମର ଉଦ୍ଦେଶ୍ୟ ବା ଗତିବିଧି କଥା ସେମାନେ ଯେମିତି ଆଦୌ ଜାଣି ନ ପାରନ୍ତି ।’’ ଶାନ୍ତନୁ କଥା ଶେଷ କଲା ।

 

ପ୍ରଶାନ୍ତ ଗୋଟି ଗୋଟି କରି ତା’ର ହାତର ଆଙ୍ଗୁଠି ବନ୍ଦ କରୁଥିଲା ଆଉ ଖୋଲୁଥିଲା ।

 

ଭାନୁ ପୁଣିଥରେ ଧୀର କରି ଆଉ ଗୋଟେ ଚକୋଲେଟ୍‌ ପାଟିରେ ପୂରେଇବାକୁ ଯାଉଛି, ଝାମ୍ପ ମାରି ସେଇଟା ଛଡ଼େଇ ନେଲା ରବି । ତା’ପରେ ନିର୍ବିକାର ଭାବରେ ସେଇଟା ଖାଇନେଲା ସେ ।

 

–‘‘ସେଇଥିପାଇଁ ତ କହିଲି, କଥାଟାରେ ଆଉ ମୁଣ୍ଡ ନ ଖେଳେଇ ଘରକୁ ଫେରିଯିବା ଭଲ । ଭୋକବି ଜୋର୍‌ ହେଲାଣି ।’’ ଭାନୁ କ୍ରମାନ୍ୱୟରେ ନିଜର ପ୍ୟାଣ୍ଟ ଆଉ ଜାମା ପକେଟ ଖୋଜି, ସେଗୁଡ଼ାକ ଖାଲି ବୋଲି ଦେଖି କହିଲା ।

 

–‘‘ତୋର ପୁଣି ଭୋକ ? ଆଜିଠୁ କେତେ ଦିନ ପର୍ଯ୍ୟନ୍ତ ନ ଖାଇଲେ ବି ତୋର କିଛି ଅସୁବିଧା ନ ହେବାର କଥା ।’’ ରବି ଚକୋଲେଟ୍‌ ଖାଉ ଖାଉ କହିଲା । କିନ୍ତୁ ତା’ ମୁହଁରେ ହସ ନଥିଲା ଜମାରୁ । ନିଶ୍ଚୟ କିଛି ଗୋଟେ ଭାବୁଥିଲା ସେ ।

 

–‘‘ମୋର ମନେହେଉଚି–ଯେହେତୁ ସେମାନଙ୍କ ଭିତରୁ ଅନ୍ତତଃ ଜଣେ ଶାନ୍ତନୁକୁ ଚିହ୍ନି ନେଇଚି, ତା’ର କିଛି ଦିନ ଲାଗି କୁଆଡ଼େ ନ ଯାଇ ପୂରାପୂରି ଘରେ ରହିବା ଉଚିତ । ଯାହା କରିବାର କଥା–ଆମେ କରିବା ।’’ ଆଲୋକ ଗୋଟେ ଗୋଡ଼ି ନେଇ ଖେଳୁଥିଲା । ‘‘ସେଇଥିପାଇଁ ମୁଁ ବି ତୁମମାନଙ୍କୁ ଆଗରୁ ସାବଧାନ କରିଦଉଚି । କାରଣ–ଏଥିରେ ବିପଦର ଆଶଙ୍କା ଅଛି । ଯଦି କେହି ଚାଲିଯିବାକୁ ଚାହାନ୍ତି, ବର୍ତ୍ତମାନଠାରୁ ଚାଲିଯିବା ଭଲ ।’’ ଗମ୍ଭୀର ଭାବରେ ଶାନ୍ତନୁ କହିଲା ।

 

–‘‘ସେ କଥାଗୁଡ଼ା କହି ଅଯଥା ସମୟ ନଷ୍ଟ କରନା ଶାନ୍ତନୁ । ଜିନିଷଟାକୁ ତୁ ଯେମିତି ରୋମାଞ୍ଚକର କରି ସାରିଲୁଣି, ଏଇକ୍ଷଣି ମାଡ଼ ମାରିଲେ ବି କେହି ତୋ ସାଙ୍ଗ ଛାଡ଼ିବେନି ।’’ ପ୍ରଶାନ୍ତ ହାତ ବଢ଼େଇ ଧରିନେଲା ଭାନୁର ଡାହାଣ ହାତଟା–ପଞ୍ଝା ଲଢ଼େଇ ଲାଗି । ଆଉ ମୋଟାସୋଟା ଅପାରଗ ଦିଶିଲେ ବି ଭାନୁର ହାତଟା ବେଶ୍‌ ଶକ୍ତ ସମର୍ଥ ଭାବରେ, ନିଶ୍ଚଳ ହେଇ ରହିଲା ନିଜ ଜାଗାରେ । ବହୁ ଚେଷ୍ଟା କରିବି ତାକୁ ହଲଚଲ କରିପାରିଲାନି ପ୍ରଶାନ୍ତ ।

 

–‘‘ମୁଁ ତୁମ ସବୁରିକି ମନେପକାଇ ଦେଉଚି–ଗତ ଅଗଷ୍ଟ ପନ୍ଦରର ଆମର ଶପଥ କଥା-। ଆମେ ଶପଥ ନେଇଥିଲୁ–ନିଜର ସାଧ୍ୟମତେ ଦେଶର କାମ କରିବୁ ଆମେ, ଆଉ ଦେଶର ଶତ୍ରୁମାନଙ୍କୁ କେବେ କ୍ଷମା ଦବୁନି ଆମେ ।’’ ଗୋଟି ଗୋଟି କରି ପରିଷ୍କାର ଭାବରେ ଶାନ୍ତନୁ ଉଚ୍ଚାରଣ କଲା କଥା କେତୋଟି ।

 

–‘‘ସାଧାରଣ ଭାବରେ, ଦେଶ ସେବା କହିଲେ ନିଜର କର୍ତ୍ତବ୍ୟ ଭଲରୂପେ ପାଳନ କରିବା ଛଡ଼ା ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଆଉ କିଛି କରିପାରୁନି ।’’ ଭାନୁ ଗମ୍ଭୀର ଭାବରେ ଚାହିଁଥିଲା ହାତ ଦି’ଟାକୁ–ତା’ର ଆଉ ପ୍ରଶାନ୍ତର ।

 

—‘‘ବର୍ତ୍ତମାନ ସୁଯୋଗ ଆସିଚି । ଅତି ଆକସ୍ମିକ ଭାବରେ ଆମ ଆଗରେ ଦେଖାଦେଇଚି ଗୋଟିଏ ଅପୂର୍ବ ସୁଯୋଗ । ସୁତରାଂ କୁହ ଭାଇମାନେ–ଆମେ କାମଟା କରିବା ନାଁ ନାହିଁ ?’’ ଶାନ୍ତନୁର ସ୍ୱର ଗମ୍ଭୀର ।

 

–‘‘ନିଶ୍ଚୟ କରିବା’’–ପ୍ରାୟ ଏକ ସାଙ୍ଗରେ ଉଚ୍ଚାରିତ ହେଲା ଚାରିଟି କଣ୍ଠରେ ।

 

–‘‘ବେଶ୍–ବର୍ତ୍ତମାନ ଘରକୁ ଫେରିଯିବା ଚାଲ । ଖରା ବି ଖୁବ୍‌ ଟାଣ ହେଲାଣି । ସନ୍ଧ୍ୟା ପାଞ୍ଚଟାରେ ପୁଣି ଏଇଠି ସମସ୍ତେ ଏକାଠି ହେବା । ଏହାରି ମଧ୍ୟରେ ସମସ୍ତେ ଚିନ୍ତା କରିବା–କ’ଣ କରିବାକୁ ହେବ । ତା’ପରେ ଉପରଓଳି ସବୁରି ମତାମତ ଆଲୋଚନା କରି ଯାହା ସ୍ଥିର ହେବ ସେଇଆ କରିବା ।’’ ଶାନ୍ତନୁ ଉଠିପଡ଼ିଲା କଥା ଶେଷ କରି ।

 

–‘‘ଭଲ କଥା, ସେଇଆ ହଉ । ଆଜିର ପୂରା ଉପର ଓଳିଟା ମିଳିବ ଆଉ କାଲି ରବିବାର ସାରା ଦିନଟା । ଯାହା କିଛି କରିବାର କଥା ସେଥିପାଇଁ ଏତକ ସମୟ ଯଥେଷ୍ଟ ବୋଲି ଧରିବାକୁ ହେବ ।’’ ପ୍ରଶାନ୍ତ ଉଠିଲା, ତା’ପରେ ପରେ ରବି, ଭାନୁ ଆଉ ଆଲୋକ ।

 

–‘‘ପ୍ରଶାନ୍ତ ତୁ ବରଂ ଶାନ୍ତନୁ ସାଙ୍ଗରେ ଯା । ମୋର କାଇଁ ମନେହଉଚି, ଶାନ୍ତନୁ କଥା ଏତେ ଚଞ୍ଚଳ ଭୁଲି ଯିବେନି ସେମାନେ ।’’ ରବି କହିଲା ବହି ପତ୍ରତକ ଉଠେଇ ନେଉ ନେଉ ।

 

ଏଇଥର ହସି ପକେଇଲା ଭାନୁ—‘‘ଠିକ୍‌ କଥା । ଏତେଦିନ ଧରି ଯୋଉ କୁସ୍ତି କସରତଗୁଡ଼ା ଅଭ୍ୟାସ କରିଚୁ–ଏତିକିବେଳେ ସେଗୁଡ଼ାର କାମରେ ଲାଗିବାର ସମ୍ଭାବନା ଅଛି ।’’

 

ପ୍ରଶାନ୍ତ ଆଗେଇ ଗଲା ଶାନ୍ତନୁ ସାଙ୍ଗରେ । ଅନ୍ୟମନସ୍କ ଭାବରେ ଚାଲୁ ଚାଲୁ ଶାନ୍ତନୁ ଚିନ୍ତା କରୁଥିଲା–ଲୋକଗୁଡ଼ାଙ୍କୁ କେମିତି ଶାଏସ୍ତା କରିହେବ । ସେଥିପାଇଁ ଦେହର ଜୋର ଦରକାର ହେଲେ ସେମାନେ ସଫଳ ହୋଇପାରିବେ କି ନାହିଁ କହିହେବନି । କିନ୍ତୁ ତା’ର ମନ କହୁଥିଲା, କାମ ହାସଲ ହେବ ବୁଦ୍ଧିର ଜୋରରେ ।

 

ପଛେ ପଛେ ଯାଇ ଅନ୍ୟବାଟ ଧରିଲେ ରବି, ଆଲୋକ ଆଉ ଭାନୁ ଧରିଲେ ଯେ ଯାହାର ଘରର ବାଟ । ପ୍ରଶାନ୍ତ ସାଙ୍ଗେ ସାଙ୍ଗେ ଚାଲୁ ଚାଲୁ ଶାନ୍ତନୁ ଅନ୍ୟମନସ୍କ ହେଇ ପଡ଼ିଥିଲା । ଦଳଟାର ଦୁଇଜଣ ଲୋକଙ୍କ ସାଙ୍ଗେ ତା’ର ଭେଟ ହେଇଛି ସତ–ପ୍ରକୃତରେ ପୁଣିଥରେ ଦେଖିଲେ ଚିହ୍ନି ପାରିବା ଭଳି ଦେଖିପାରିନି ସେ । କିଏ ଜାଣେ–ସେମାନେ ଦୁଇଜଣ କି ଜଣେ, ଅର୍ଥାତ୍‌ ଦୁହେଁ ଏକ ଲୋକ ? ନିଜ ଭାବନାରେ ବୁଡ଼ି ରହି ଶାନ୍ତନୁ ଲକ୍ଷ୍ୟ କରି ନଥିଲା ଯେ, ସେମାନେ ଆସି ପହଞ୍ଚିଲେଣି ତାଙ୍କ ଘର ପାଖ ପୋଲଟାରେ । ଧ୍ୟାନ ତା’ର ଭାଙ୍ଗିଲା ପ୍ରଶାନ୍ତ କଥାରେ ।

 

‘‘ଅସଲ କଥା ହେଲା–ଯଦି ମୁହଁ ବନ୍ଦ କରିବା ଦରକାର ହୁଏ, ସେମାନଙ୍କୁ ଏଥର ମୁହଁ ବନ୍ଦ କରିବାକୁ ହେବ ତତେ ମିଶେଇ ପାଞ୍ଚ ଜଣଙ୍କର । କାମଟା ସେତେ ସହଜ ନ ହେଇବି ପାରେ-। ସେଥିପାଇଁ ଏତେ ବଡ଼ ଗୋଟେ ବିପଦଜନକ କାମରେ ହାତ ଦେବା ଆଗରୁ ଟିକେ ଭାବିବାକୁ ହେବ ସେମାନଙ୍କୁ ।’’

 

‘‘ଅବଶ୍ୟ ମୋ କଥା ଜାଣିଲେ ବି ତୁମମାନଙ୍କ କଥା ସେମାନେ କେମିତି ଜାଣିବେ ? ବରଂ ସେଥିରେ ଆମର ସୁବିଧା ହେବ । ବାସ୍‌ ଏଇଥର ତୁ ଫେରିଯା ଭାଇ । ତୋର ଫେର ଡେରି ହେଇଯିବ–ଘରେ ଖୋଜିବେଣି ।’’ ଶାନ୍ତନୁ ଠିଆ ହେଇ ପଡ଼ି ଚାରିଆଡ଼କୁ ଚାହିଁ କହିଲା ।

 

ଉଦୁଉଦିଆ ଦି’ପହର । ରାସ୍ତାରେ ଖୁବ୍‌ ବେଶି ଲୋକ ଦେଖାଯାଉ ନାହାନ୍ତି । ପାଖ ଦେଇ ସାଇକେଲରେ ଚାଲିଗଲା ଗୋଟିଏ ଲୋକ ହୁଇସିଲ ମାରି । ମୋଡ଼ ବୁଲି କଳା କାର୍‌ଟାଏ ଅଦୃଶ୍ୟ ହେଲା ବଡ଼ ରାସ୍ତାରେ ।

 

–‘‘ଆଉ ତ ଦି’ ମିନିଟ୍‌ର ବାଟ । ଏଇ ବାଙ୍କଟା ବୁଲି ଗଲେଇ ମାରିଚାଲ । ତମ ଘର ପାଖରେ ତତେ ପହଞ୍ଚେଇ ଦେଇ ଆସେଁ ।’’ ପ୍ରଶାନ୍ତ ବି ଚାରିଆଡ଼େ ଥରେ ଆଖି ବୁଲେଇ ନେଲା । ଖୁବ୍‌ ଦୂରରୁ ଛୋଟା ଭିକାରୀଟିଏ ଡାକିଡାକି ଆସୁଥିଲା ।

 

‘‘ନାଇଁମ–ରାସ୍ତାରେ ତ କେହି କୋଉଁଠି ନାହିଁ । ଭୟର କିଛି କାରଣ ଅଛି ବୋଲି ଭାବୁନି ମୁଁ । ତୁ ଯା’ କି–ମୁଁ ବି ଘରକୁ ଯାଉଚି ।’’ ଶାନ୍ତନୁ ଠିଆ ହେଇ ରହିଲା ଆଉ ପ୍ରଶାନ୍ତ ଫେରିଗଲା ଯୋଉ ବାଟେ ଆସିଥିଲା ସେଇବାଟେ । ଅନେକଗୁଡ଼ାଏ ବାଟ ଯିବାକୁ ହେବ ତାକୁ–ଖୁବ୍‌ ଡେରି ହେଇଗଲାଣି ।

 

ଶାନ୍ତନୁର ଏଥର ମନେପଡ଼ିଲା ନିଜ ଘର କଥା । ମା’ ଅପେକ୍ଷା କରି କରି ବ୍ୟସ୍ତ ହେଇ ପଡ଼ିବେଣି । ସେ ଘରକୁ ଶୀଘ୍ର ଫେରି ଯାଇ ଖାଇପିଇ, ଟିକେ ବିଶ୍ରାମ ନେଇ ବିଷୟଟା ବେଶ୍ ଭଲଭାବେ ଚିନ୍ତା କରି ଦେଖିବ । ତା’ପରେ ଯାଇ ଠିକ୍‌ କରିବାକୁ ହେବ କର୍ମପନ୍ଥା । ଶାନ୍ତନୁ ପୁଣି ଅନ୍ୟମନସ୍କ ହେଇ ପଡ଼ିଲା । ଯେ କୌଣସିମତେ ବିଷୟଟାର ମିମାଂସା କରିବାକୁ ହେବ ।

 

ଅନ୍ୟମନସ୍କ ଥିଲା ବୋଲି ଲକ୍ଷ୍ୟ କଲାନି ଶାନ୍ତନୁ । ବେଶ୍‌ ଦୂରରେ ତାଙ୍କ ପଛେ ପଛେ ଯୋଉ ଭିକାରୀଟି ଆସୁଥିଲା, ପାଖଦେଇ ଗଲାବେଳେ ଯାହାକୁ ପକେଟ୍‌ରୁ କାଢ଼ି ପାଞ୍ଚ ପଇସିଟାଏ ଦେଇଗଲା ପ୍ରଶାନ୍ତ ଏହାରି ମଧ୍ୟରେ ସେ କ୍ରମଶଃ ଶାନ୍ତନୁର ପାଖ ହେଇ ଆସିଚି । ଦିହିଁଙ୍କ ମଧ୍ୟରେ ବ୍ୟବଧାନ କମି କମି ଆସୁଥିଲା । ଶାନ୍ତନୁଠାରୁ ଆଠ ଦଶ ହାତ ଦୂରରେ ଥିବା ସମୟରେ ସେ କାନ୍ଦି ଉଠିଲା ବିକଳ ସ୍ୱରରେ ।

 

–‘ଭଗବାନ ମଙ୍ଗଳ କରିବେ ବାବୁ, ଗୋଟିଏ ପଇସା ଦିଅ । ତିନିଦିନ ହେଲା କିଛି ଖାଇନି ବାବୁ–ଗୋଟିଏ ପଇସା ବାବୁ ।’’

 

ଚମକି ପଡ଼ି ବୁଲି ପଡ଼ିଲା ଶାନ୍ତନୁ ପଛକୁ । ଆଉ ଭିକାରୀଟିକୁ ଦେଖି ପଇସା ସନ୍ଧାନରେ ସେ ହାତ ଦେଲା ପକେଟରେ । ହାତକୁ ଲାଗିଲା ଦୋପଇସିଟିଏ । କିନ୍ତୁ କ’ଣ ଗୋଟେ କଥା ସେ ମନେପକେଇବାକୁ ଚାହୁଁଥିଲା । କିନ୍ତୁ ଜମାରୁ ମନେପଡ଼ିଲାନି । ଅଥଚ ଭାରି ଜରୁରୀ କଥାଟା । ହୁଏତ ଏଇ ଲୋକଟା ସମ୍ପର୍କରେ କଥାଟା ହେଇପାରେ–ହେଲେ କିଛି ମନେପଡ଼ୁ ନଥିଲା ତା’ର । ପକେଟରୁ ଦୋପଇସିଟା କାଢ଼ି ସେ ବଢ଼େଇ ଦେଲା ଭିକାରୀଟି ହାତକୁ । ହଠାତ୍‌ ମନେ ହେଲା ଯେମିତି ସମଗ୍ର ଆକାଶଟା ଭାଙ୍ଗି ପଡ଼ିଲା ତା’ରି ମୁଣ୍ଡ ଉପରେ । ଆଖି ଆଗରେ ଦେଖାଗଲା ଅସଂଖ୍ୟ ତାରା–ସୁନେଲି ରୂପେଲି ରଙ୍ଗର, ଛୋଟ ଛୋଟ ତାରା ।

 

କ’ଣ ହେଲା ବୁଝିବାକୁ ସମୟ ନଥିଲା ତା’ର–ଅଥଚ ଆଶ୍ଚର୍ଯ୍ୟ । ମୁଦି ହେଇ ଆସୁଥିବା ଆଖିପତା ତଳୁ ପ୍ରାୟ ଅସ୍ପଷ୍ଟ ଭାବରେ ସେ ଦେଖିପାରିଲା, ଗୋଟିଏ ମୁହଁ । ସେ ମୁହଁ ତାକୁ ଚିହ୍ନା ଚିହ୍ନା ଲାଗୁଥିଲା । ତା’ର ମନେପଡ଼ୁଥିଲା–ଲୋକଟାକୁ ସେ ଦେଖିଚି, ଲୋକଟା କିଏ–ଭାବିବାର ଅବସର ନଥିଲା ତା’ର । ଚେତନାହୀନ ଦେହ ତା’ର ଲୋଟିପଡ଼ିଲା, ଆଉ ମାଟିରେ ପଡ଼ିବା ଆଗରୁ ତାକୁ ଧରିନେଲା ସେଇ ଲୋକଟା–ଯାହାକୁ ଭିକାରୀ ବୋଲି ଭାବି କେତେ ସମୟ ତଳେ ପଇସା ଦେଇଥିଲା ପ୍ରଶାନ୍ତ ଆଉ ପଇସା ଦେବାକୁ ଯାଉଥିଲା ସେ ବି ।

 

ମୋଟାସୋଟା, ବଳୁଆ ଯୋଉ ଅନ୍ୟ ଲୋକଟା–ଯାହାର ଆଘାତରେ ଶାନ୍ତନୁ ଅଚେତା ହୋଇ ପଡ଼ିଥିଲା, ସେଇ ଉଠେଇ ନେଇ କାନ୍ଧରେ ପକେଇଲା ଶାନ୍ତନୁକୁ । ନିର୍ବିବାଦରେ ଯେମିତି ସେ ଶାନ୍ତନୁକୁ ଉଠେଇ ନେଲା–ସତେ ଅବା ତିନିବର୍ଷର ପିଲାଟିଏ ସେ ।

 

ରାସ୍ତାରେ କେହି ନଥିଲେ । ଦୂରରୁ ଜଣେ ଅଧେ ଯେ ବା ଆସୁଥିଲେ, ଘଟଣାଟା ସେମାନଙ୍କ ଆଖିରେ ପଡ଼ି ନଥିଲା । ସୁତରାଂ କେହି ଜାଣିଲେନି, କେହି ଦେଖିଲେନି ଶାନ୍ତନୁକୁ ଆଘାତ କରି, ତା’ର ଅଚେତ ଦେହକୁ କାନ୍ଧରେ ପକେଇ ଲୋକଟା ରାସ୍ତାତଳକୁ ଓହ୍ଲେଇ ଗଲା–ତା’ର ସାଥୀକୁ ସାଙ୍ଗରେ ଧରି ।

 

ରାସ୍ତା କଡ଼ର ଅପେକ୍ଷାକୃତ କମ୍‌ ଉଚ୍ଚ ପଡ଼ିଆଟା ଭର୍ତ୍ତି ଛୋଟ ବଡ଼ ବୁଦା, କଣ୍ଟାଝଣ୍ଟା, ବୁଦିବୁଦିକିଆ ଜଙ୍ଗଲରେ । ତା’ରି ଭିତରେ କିନ୍ତୁ ଲକ୍ଷ୍ୟ କଲେ ଦେଖାଯିବ ପାଦଚଲା ବାଟଟା । ଲୋକ ଦି’ଟା ତା’ରି ଭିତର ଦେଇ, ପାଦଚଲା ବାଟରେ ଆଗେଇ ଗଲେ ସେମାନଙ୍କ ଗନ୍ତବ୍ୟ ପଥରେ ।

 

ଶାନ୍ତନୁର ଧାରଣା ଠିକ୍‌ ଥିଲା । ଯୋଉମାନେ ନିଜର ସ୍ୱାର୍ଥ ସାଧନ ଲାଗି ଶହ ଶହ ନିରୀହ, ନିରପରାଧ ଲୋକଙ୍କୁ ବଞ୍ଚିତ କରନ୍ତି ଜୀବନର ଅତି ଦରକାରୀ ପଦାର୍ଥ ପାଇବାରୁ, ସେମାନଙ୍କ ପକ୍ଷରେ ଅସମ୍ଭବ ଏମିତି କିଛି ନାହିଁ ଦୁନିଆରେ । ସବୁ କାମ କରିପାରନ୍ତି ସେମାନେ, ଓହ୍ଲେଇ ଯାଇପାରନ୍ତି ଯେ କୌଣସି ନୀଚ ସ୍ତରକୁ ।

 

।। ଛଅ ।।

 

ପାଞ୍ଚଟା ବାଜିବାର ବେଶ୍‌ କିଛି ଆଗରୁ ସ୍କୁଲ ପଛପଟ ପଡ଼ିଆଟାରେ ଏକାଠି ହେଲେ ସମସ୍ତେ । କେବଳ ଆସିନି ଶାନ୍ତନୁ । ଆଶ୍ଚର୍ଯ୍ୟ ! ଯେ କୌଣସି ଗୋଟେ କାମ କରିବାକୁ ଗଲାବେଳେ, ସବୁଠାରୁ ବେଶି ଉତ୍ସାହୀ ହେଲା ଶାନ୍ତନୁ । ଯେ କୌଣସି ଜାଗାକୁ ଯିବାକୁ ବସିଲେ, ସବୁରି ଠାରୁ ଆଗ ଆସି ପହଞ୍ଚେ ଶାନ୍ତନୁ । ଅଥଚ ଆଜି ଏମିତି ଗୋଟାଏ କାମର ପରିକଳ୍ପନା ଥିଲାବେଳେ, ସେଇ ଶାନ୍ତନୁ ଅନୁପସ୍ଥିତ ।

 

ବେଶ୍ କେତେବେଳ ଅପେକ୍ଷା କଲା ପରେ, ପ୍ରଶାନ୍ତ କଥା ମତେ ରବି ଆଉ ଭାନୁ ଗଲେ ଶାନ୍ତନୁ ଘରକୁ । ଯାହା ଅନୁମାନ କରିଥିଲେ, ସେଇଆ ଘଟିଥିଲା । ଶାନ୍ତନୁ ଘରେ ନଥିଲା । ଘରର ସମସ୍ତେ ବିସ୍ମିତ ଆଉ ବିବ୍ରତ; କାରଣ ସ୍କୁଲ ଯାଇ ଆଉ ଫେରିଆସିନି ସେ । କୌଣସିମତେ ସେମାନଙ୍କର ଅସଂଖ୍ୟ ପ୍ରଶ୍ନରୁ ମୁକ୍ତି ପାଇ, ଯେତେବେଳେ ରବି ଆଉ ଭାନୁ ଫେରିଆସୁଥିଲେ–ସେତିକିବେଳେ କ’ଣ ଭାବି ପୋଲଟା ପାଖରେ ଅଟକିଲା ରବି ।

 

–‘‘ମନେପଡ଼ୁଚି ପ୍ରଶାନ୍ତ କ’ଣ କହିଥିଲା ? ଶାନ୍ତନୁ ସାଙ୍ଗେ ସାଙ୍ଗେ ଏଇ ପର୍ଯ୍ୟନ୍ତ ଆସିଥିଲା ଯେ । ଏଇଠୁ ସେ ଫେରିଗଲା ଆଉ ଶାନ୍ତନୁ ଗଲା ତାଙ୍କ ଘରଆଡ଼େ ।’’ କଥା କହୁ କହୁ ରବି ପୋଲ ଉପରଟା, ପାଖ ରାସ୍ତା ଆଉ ରାସ୍ତାକଡ଼ରେ ଆଖି ବୁଲଉ ଥିଲା । କ’ଣ ମନେ କରି ସେ ନଇଁ ପଡ଼ିଲା, ସତେ ଯେମିତି ରାସ୍ତା ଉପରେ କ’ଣ ଖୋଜୁଥିଲା ସେ ।

 

ତା’ର ଏ କାମ ଦେଖି ହସିବାକୁ ଯାଇ ହସି ପାରିଲାନି ଭାନୁ । ସତେ ତ କିଛି କାରଣ ନଥିଲେ ଏମିତି ଅଦ୍ଭୁତ ବ୍ୟବହାର ରବି କରନ୍ତା କାହିଁକି ? ସେ ବି ମନଯୋଗ ଦେଇ ଦେଖୁଥିଲା ରବିକୁ ।

 

ଗୋଟିଏ ଜାଗାରେ ଅଟକି ତଳୁ କ’ଣ ଗୋଟେ ଉଠେଇ ନେଲା ରବି । ଅଳ୍ପ ଚକ୍‌ଚକ୍‌ କରି ଉଠିଲା ସେଇଟା, ଦୋପଇସିଟାଏ । କିଛି ସମୟ ଏପଟ ସେପଟ ଘୁରି ତା’ର ଆଖି ସ୍ଥିର ହେଇଗଲା ଆଉ ଗୋଟାଏ ଜାଗାରେ । ସେଇଟା ଥିଲା, ରାସ୍ତା କଡ଼ରେ, ପଡ଼ିଥିଲା ମୋଚାକୋଚା ହେଇ ଖଣ୍ଡିଏ କାଗଜ । ନଇଁପଡ଼ି ସେଇଟାବି ରବି ଉଠେଇ ନେଲା । ସିଧା କରି ପଢ଼ିଲା ସେ–

 

–‘‘ରାତି ଦଶଟା–ଭୂତ କୋଠି–ପଶ୍ଚିମ ଦୁଆର ।’’ ଥମକି ଠିଆ ହୋଇ ପଡ଼ିଲା ସେ ।

 

ତା’ର କାନ୍ଧ ଉପର ଦେଇ ଉହୁଙ୍କି ପଡ଼ି କାଗଜଟା ଦେଖୁ ଦେଖୁ ଭାନୁ କହିଲା–‘‘ଏଇ ଖଣ୍ଡକ ଦିପହରେ ଆମକୁ ଦେଖାଇଥିଲା ଶାନ୍ତନୁ । ନିଶ୍ଚୟ ଏଇଟା ପେକଟ୍‌ରେ ରଖିଥିଲା ସେ ।’’

 

–‘‘ମୋର କ’ଣ ମନେହେଉଚି ଜାଣୁ ? ଶାନ୍ତନୁର କିଛି ଗୋଟେ ବିପଦ ହେଇଚି । ଆଉ ଇଚ୍ଛା କରି ନ ପକେଇ ଥିଲେ–ଏ କାଗଜଟା ସମ୍ପର୍କରେ ସେ ଯେ ଅସାବଧାନ ହେବ, ଏ କଥା ଭାବି ହେଉନି ।’’ ରବିର ମୁହଁ ଖୁବ୍‌ ଚିନ୍ତିତ ଦିଶୁଥିଲା ।

 

–‘‘ଅର୍ଥାତ୍‌ ବିପଦରେ ପଡ଼ିବାରୁ, ଇଚ୍ଛା କରି ଶାନ୍ତନୁ କାଗଜଟା ଏମିତି ପକେଇ ଦେଇ ଯାଇଚି । ଏଇଆ କହୁଚୁ ତ ?’’ ଭାନୁବି ଗମ୍ଭୀର ହେଇଗଲା ।

 

–‘‘ମୋର କାଇଁକି ମନେହେଉଚି, ସେମାନେ ଶାନ୍ତନୁକୁ ନେଇଯାଇଚନ୍ତି ।‘‘ ଭାନୁ ରାସ୍ତା କଡ଼କୁ ଆଗେଇ ଯାଇ କହିଲା । ‘‘କାଗଜଟା ସେତିକିବେଳେ ପକେଇ ଦେଇଚି ସେ । ଆମକୁ ତା’ର ବିପଦ କଥା ସେ ଜଣେଇବାକୁ ଚାହିଁଚି । ଭଲଭାବରେ ସେ ଜାଣେ ଯେ ଆମେ ତାକୁ ଖୋଜିବୁ ।’’ ରାସ୍ତାର ଯୋଉ ପଟେ କେତେଟା ଚାଳଘର ଥିଲା–ସେ ପଟକୁ ଗଲାନି ରବି । ବରଂ ଭାନୁ ଯୋଉ ପଟକୁ ଯାଇଥିଲା ସେ ବି ଗଲା ସେଇ ଆଡ଼କୁ । ବୁଦିବୁଦିକିଆ ଜଙ୍ଗଲରେ ଭର୍ତ୍ତି ଜାଗାଟା । ତା’ରି ଭିତର ଦେଇ ଆଗେଇ ଯାଇଚି–ପାଦଚଲା ବାଟଟିଏ । ସେଇ ବାଟ ଦେଇ କୋଡ଼ିଏ ପଚିଶି ହାତ ଆଗେଇ ଗଲେ ସେମାନେ । ଗଛଗୁଡ଼ା କ୍ରମଶଃ ବଡ଼ ହୋଇ ଆସିଚ–ବେଶ୍‌ ଗହଳିଆବି । ସେଇଠି ଅଟକିଲେ ସେମାନେ । ରବି ଦୂର ଜଙ୍ଗଲ ଆଡ଼କୁ ଚାହିଁଥିଲା । ଭାନୁବି କ’ଣ ଭାବୁଥିଲା ।

 

ସନ୍ଧ୍ୟା ହେଇ ଆସିଚି । ଅନ୍ଧାରବି ହେବା ଉପରେ । ଅଥଚ–ସେମାନେ ଫେରିବେ କେମିତି ? ଶାନ୍ତନୁକୁ ଯୋଉମାନେ ଧରି ନେଇଯାଇଛନ୍ତି–ସେମାନଙ୍କ ଉଦ୍ଦେଶ୍ୟ ଭଲ ନୁହେଁ–’ଏ ନିଶ୍ଚିତ କଥା । ଯଦି ସେମାନେ ତା’ର କିଛି ଅନିଷ୍ଟ କରନ୍ତି ?

 

–‘‘ତୁ ବୋଧେ ଭାବୁଚୁ ଯେ ଏଇବାଟେ ସେମାନେ ଶାନ୍ତନୁକୁ ନେଇଯାଇଚନ୍ତି ?’’ ଭାନୁ ରବି କାନ୍ଧରେ ହାତ ରଖିଲା ।

 

–‘‘ସେଇଆ ମନେହେଉଚି ମୋର । ଏଇକ୍ଷଣି ଖୋଜି ଦେଖିଲେ ଆମେ ହୁଏତ ଶାନ୍ତନୁକୁ ପାଇବା ।’’ ରବି ଅସ୍ଥିର ହୋଇ ପଡ଼ିଥିଲା । ‘‘କିନ୍ତୁ ଆମେବି ଯାଇ ଯଦି ବିପଦରେ ପଡ଼ିବା ? ବରଂ–ଗୋଟେ କାମ କରାଯାଉ । ତୁ ଫେରିଯା ସ୍କୁଲ ପାଖକୁ । ଅନ୍ୟମାନଙ୍କୁ ଖବର ଦେ-। ମୁଁ ଅନ୍ୟ ବ୍ୟବସ୍ଥା କରୁଚି ।’’ ଭାନୁ ଏତେ ବ୍ୟସ୍ତ, ଏମିତି ବିବ୍ରତ ହେଇ ପଡ଼ିଥିଲା ଯେ–ପକେଟରେ ଅଧ ପାଉଣ୍ଡେ ଟଫି ଥିଲେ ବି, ଗୋଟିଏ ହେଲେ ଖାଇବା କଥା ମନେପଡ଼ିଲାନି ତା’ର-

 

ରବି ଆଶ୍ଚର୍ଯ୍ୟ ହେଇଯାଇଥିଲା । ଭାନୁକୁ ଖୁବ୍‌ ଗୋଟେ ବୁଦ୍ଧିମାନ୍‌ ବୋଲି କେବେବି ଜାଣି ନଥିଲା ସେ । ଅଥଚ ଆଜି ଦେଖିଲାବେଳକୁ ଭାନୁବି ରୀତିମତ ଭାରି ଭାରି କଥା କହିବାକୁ ଆରମ୍ଭ କରିଚି ।

 

–‘ତୁ ପୁଣି କି ବ୍ୟବସ୍ଥା କରିବୁ ?’’ ରବିର କଥାରେ ତା’ ମନର ଭାବବି କିଛିଟା ଫୁଟିଲା-

 

ଆଉ କ’ଣ–ତାକୁ ଫେରିବାକୁ କହି ଶାନ୍ତନୁକୁ ଖୋଜିବାକୁ ସେ ଏକୁଟିଆ ଯିବାକୁ ଚାହୁଁଚି ? ରବି କିଛି ବୁଝିପାରୁ ନଥିଲା ।

 

–‘‘ଯଦି ତୁ ଭାବୁଥାଉ ଯେ ତୁ ଏକୁଟିଆ ଯାଇ ଶାନ୍ତନୁକୁ ଖୋଜିବୁ–ଆଉ ତୋ ଭଳି ବିରାଟକାୟ ନ ହେଇଥିବାରୁ ମୁଁ’’–ରବିକୁ ଏଇଠି ଅଟକିବାକୁ ହେଲା । ତା’ ପାଟିରେ ହାତ ଦେଇ ତାକୁ ଚୁପ୍‌ କରେଇ ଦେଲା ଭାନୁ ।

 

–‘‘ଏତେ ବଡ଼ ପାଟିରେ କଥା କହନା ଏଠି । କିଏ ଜାଣେ ପାଖ ଆଖରେ ସେଇ ଲୋକଗୁଡ଼ାକ ଲୁଚି ରହିଛନ୍ତି କି ନାହିଁ ?‘‘ ଭାନୁ ପ୍ରାୟ ଫିସ୍‌ ଫିସ୍‌ କରି କହିଲା, ଆଉ ରବି ହାତ ଧରି ଫେରିବାକୁ ଆରମ୍ଭ କଲା । ଫେରିଲେ ସେମାନେ ଯୋଉ ବାଟ ଦେଇଯାଇଥିଲେ, ସେଇ ବାଟରେ ।

 

ବଡ଼ ରାସ୍ତା ଉପରେ ପହଞ୍ଚିବା ପର୍ଯ୍ୟନ୍ତ ଦୁହେଁ ଚୁପ୍‌ଚାପ୍‌ । ବଡ଼ ରାସ୍ତା ଦେଇ ଧୀରେ ଧୀରେ ଚାଲୁ ଚାଲୁ ଭାନୁ କହିଲା,– ‘‘ଦେଖ୍‌ ଭାଇ–ତୁମ ସବୁରି ତୁଳନାରେ ମୋ ବୃଦ୍ଧି କମ୍‌, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆଜି ତୁମ୍ଭମାନଙ୍କୁ ମୋ କଥା ମାନିବାକୁ ପଡ଼ିବ ।’’ ଭାନୁର ଗମ୍ଭୀର ମୁହଁ ଦେଖି ରବି ଧରିନେଲା ଯେ–ଆଉ କିଛି ନୁହେଁ, ତା’ରି ଅନୁମାନ ଠିକ୍‌ । ଭାନୁ ତାକୁ ବିଦା କରି ଦେଇ ନିଜେ ଏକୁଟିଆ ଯିବାକୁ ଚାହୁଁଚି । ରବି ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଇଗଲା ।

 

–‘‘ନାଁ–ତୋର ଧାରଣା ଭୁଲ । ମୁଁ ନିଜେ ବାହାଦୂରୀ କରିବାକୁ ଯାଉନି । ମୋର ମନେ ହଉଚି ବିଷୟଟାର ମିମାଂସା କରିବାକୁ ଆମର ଦରକାର ଅନ୍ୟର ସାହାଯ୍ୟ । ଯେତେ ଶୀଘ୍ର ସମ୍ଭବ ଏ ମିମାଂସା ହେବା ଦରକାର । କାରଣ ଶାନ୍ତନୁକୁ ଖୋଜି ବାହାର କରିବା ସବୁଠୁ ଜରୁରୀ । ସେଇଥିପାଇଁ ମୁଁ ଭାବୁଚି–ଏ ଦିଗରେ କିଏ ଆମକୁ ସାହାଯ୍ୟ କରିପାରିବ ।’’ ଭାନୁ ଆଉ ରବି ସ୍କୁଲ ଆଡ଼କୁ ଫେରିଚାଲିଥିଲେ । ରବି ଚୁପ୍‌ଚାପ୍‌ ଶୁଣୁଥିଲା ଭାନୁ କଥା ।–‘‘ଆମ କଥା କିଏ ବିଶ୍ୱାସ କଲେ ତ ?’’ ରବି ପଚାରିଲା ।

 

–‘‘ମୋର ଜଣେ କକେଇ ପୁଅ ଭାଇ ପୋଲିସରେ କ’ଣ କାମ କରନ୍ତି । ରମେଶ ଭାଇଙ୍କ କଥା କହୁଚି ମୁଁ–ଆମ ଘରେ ତୁ ଦେଖିଚୁ ତାଙ୍କୁ । ଭାବୁଚି ତାଙ୍କରି ପାଖକୁ ଯିବି । ସବୁ କଥା କହି ତାଙ୍କ ପରାମର୍ଶ ନେବାକୁ ହବ । ଏ ଦିଗରେ କ’ଣ କରିବା ଦରକାର–ପୋଲିସ ଲୋକ ଯେତେବେଳେ, ନିଶ୍ଚୟ କହିପାରିବେ ସେ ।’’ ଭାନୁ ରବି ମୁହଁକୁ ଚାହିଁ କହିଲା ।

 

–‘‘କଥାଟା ମନ୍ଦ କହିନୁ । ହେଲେ ଶାନ୍ତନୁ ଘରେ ଖବର ଦେବାନି କହୁଚୁ ?’’ ରବି ପଚାରିଲା । –‘‘ସନ୍ଧ୍ୟା ହେବାକୁ ବସିଚି । ବରଂ ଆଗ କିଛି ଗୋଟେ ବ୍ୟବସ୍ଥା କରାଯାଉ । ସେମାନେ ତ ଶାନ୍ତନୁକୁ ଖୋଜାଖୋଜି କରୁଥିଲେ । ନ ପାଇଲେ ଶେଷକୁ ପୋଲିସରେ ଖବର ଦେବା କଥା । ମୁଁ ତ ଯାଉଚି–ରମେଶ ଭାଇଙ୍କି ଖବର ଦେବି । ଯଦି ସେ କହିବେ–ତାହେଲେ ଶାନ୍ତନୁ ଘରେବି ଖବର ଦେଇଦେବି । ବର୍ତ୍ତମାନ ଅକାରଣେ ସେମାନଙ୍କୁ ବ୍ୟସ୍ତ କରି ଲାଭ କ’ଣ-?’’ ଭାନୁ ଆଗେଇ ଗଲା ।

 

–‘‘ବେଶ୍‌–ଯାହା ଠିକ୍‌ ମନେ କରୁଚୁ, ସେଇଆ କର ।’’ ରବି ସ୍କୁଲ ଆଡ଼େ ଫେରିଗଲା ।

 

ଭାନୁକୁ ପ୍ରକୃତରେ ବ୍ୟସ୍ତ ଲାଗୁଥିଲା । ଯଦି ଲୋକଗୁଡ଼ାକ ପ୍ରକୃତରେ ଶାନ୍ତନୁକୁ ଶାସ୍ତି ଦିଅନ୍ତି ? ସେ ପାଦର ଗତି ବଢ଼ାଇ ଦେଲା, କଥା କେତେଟା ମନେପକେଇ ।

 

ରମେଶ ଭାଇଙ୍କ ଠାରୁ ଶୁଣିଚି ସେ । ପୋଲିସ୍‌ ହାତରେ ଅନେକ ଉପାୟ ଅଛି–ଅପରାଧୀକୁ ଶାସ୍ତି କରିବାର । ତାକୁ ସାଙ୍ଗରେ ନେଇ ପୋଲିସ କୁକୁର ବେଗମ୍‌କୁ ଥରେ ଦେଖେଇ ଆଣିଥିଲେ ସେ । ନିଶ୍ଚୟ ଶାନ୍ତନୁକୁ ଖୋଜି ବାହାର କରିବେ ସେ–ନିଶ୍ଚୟ । ଆଉ ତାକୁ ଖୋଜି ବାହାର କରିବାକୁ ହେବ, ତା’ର କୌଣସି ମାରାତ୍ମକ ଅନିଷ୍ଟ ହେବା ଆଗରୁ ।

 

।। ସାତ ।।

 

ସ୍କୁଲ ପାଖରେ ପହଞ୍ଚି ରବି ଦେଖିଲା ସେଠି ଅନ୍ୟ ସମସ୍ତେ ଅପେକ୍ଷା କରୁଚନ୍ତି । ସଂକ୍ଷେପରେ ରବି ଯାହା ଯାହା ଘଟିଥିଲା କହିଲା । ସମସ୍ତେ ଏକମତ ହେଲେ ଯେ–ଭାନୁର ବିଚାର ଠିକ୍‌ । କାରଣ–ଆଲୋକ କହିଲା–ଇଚ୍ଛା କଲେ ଭାନୁ ତା’ର ରମେଶ ଭାଇଙ୍କ ସାହାଯ୍ୟରେ ଲୋକଗୁଡ଼ାଙ୍କୁ ଉଚିତ ଶିକ୍ଷା ଦେଇ ପାରିବ । କିନ୍ତୁ କେଜାଣି କାହିଁକି ସେଇକ୍ଷଣି ଘରକୁ ଫେରିଯିବା କଥା କାହାରି ମନକୁ ଆସିଲାନି । ଶାନ୍ତନୁ ସେତେବେଳେ ଯାଏ ଫେରିଆସିନି–ହୁଏତ ଏଇ କଥାଟା ସବୁରି ମନରେ ଖେଳୁଥିଲା । କାରଣ ଯେମିତି ରବି ସେ କଥା ମନେପକେଇ ଦେଲା ସେମିତି ସେ କଥା କହି ବସିଲେ ଅନ୍ୟ ଦିହେଁ ।

 

–‘‘ମୁଁ କ’ଣ ଭାବୁଚି ଜାଣୁ ? –ଭୂତକୋଠି ଭିତରଟା ଟିକେ ଖୋଜି ଦେଖିଲେ ହୁଅନ୍ତା । ଶାନ୍ତନୁକୁ ହୁଏତ ସେଇଠି ରଖିଚନ୍ତି ସେମାନେ ।’’

 

–‘‘ରବି କଥାଟା ମୋ ମନକୁ ବେଶ୍‌ ପାଉଚି ।’’ ରବି କଥା ଶୁଣି କହିଲା ଆଲୋକ । ‘‘ଆଉ ଗୋଟାଏ କଥାବି ଅଛି । ଆମେବି ଦେଖନ୍ତେ ସେମାନଙ୍କ ଗୁପ୍ତଭଣ୍ଡାର । ପିଲାଦିନୁ ଭୂତକୋଠି ଭିତରଟା ବୁଲି ଦେଖିବାକୁ ମୋର ଇଚ୍ଛା ଅଛି ।’’ ପ୍ରଶାନ୍ତବି ଏକମତ ହେଲା ସେଥିରେ ।

 

ରାତି ହେବାକୁ ଯାଉଚି–ସୁତରାଂ ଯିବାକୁ ହେଲେ ସାଙ୍ଗେ ସାଙ୍ଗେ ଯିବାକୁ ହେବ । ତିନିହେଁ ଆଗେଇଲେ ଏଥର ଭୂତକୋଠି ଆଡ଼େ । ବାଟରେ ପ୍ରଶାନ୍ତ ଘରୁ ବଡ଼ ଟର୍ଚ୍ଚଟିଏ ସଂଗ୍ରହ କରାଗଲା । ଦରକାରରେ ଲାଗିବ ।

 

ଭୂତକୋଠି ପଛପଟର କୋଳିଗଛ ପାଖରେ ପହଞ୍ଚିଲା ବେଳକୁ ବେଶ୍‌ ରାତି ହେଇ ଯାଇଥିଲା ।

 

–‘‘ନାଁ–ଯେତେ ଦୂର ମନେହୁଏ–ଆମକୁ କେହି ଦେଖିନାହାନ୍ତି ।’’ ପ୍ରାୟ ଫିସ୍‌ ଫିସ୍‌ କରି କହିଲା ରବି । –‘‘ବେଶ୍‌–ଏଇଥର ଶାନ୍ତନୁ ଯୋଉ ଝରକା କଥା କହିଥିଲା, ତାକୁ ଖୋଜି ବାହାର କରିବା ଦରକାର ।’ କହିସାରି ପ୍ରଶାନ୍ତ ଆଖି ପକେଇଲା–ଅନ୍ଧାର ଭିତରେ ଆହୁରି ଗାଢ଼ ଅନ୍ଧାରିଆ ଛାଇ ଭଳି ସେ ଘରଟା ଉପରେ ।

 

ଦେହଟା ତା’ର କାଇଁକି କେଜାଣି ଶୀତେଇ ଶିର୍‌ ଶିର୍‌ କରି ଉଠିଲା । କୋଉକାଳେ ଏଠି ଭୂତ ଥିଲେ ବୋଲି ଭାବି, ସମସ୍ତେ କହୁଥିଲେ ଭୂତକୋଠି । କାଳକ୍ରମେ ସେଇଟା ତା’ର ନାଁ ହେଇଗଲା । ଆଜି କିନ୍ତୁ ଲୋକମାନଙ୍କ ମନର ସେଇ କୁସଂସ୍କାରର ସୁଯୋଗ ନେଇ, ଏଠି ଗଢ଼ିଉଠିଚି ଜୀଅନ୍ତା ଭୂତମାନଙ୍କର ଏଇ ଗୁପ୍ତ ଆଡ଼୍‌ଡ଼ା ।

 

ରବି ହାତ ବଢ଼େଇ ଦେଖେଇ ଦେଲା । –“ବୋଧେ ସେଇ ଝରକାଟା ।’’

 

ଝରକାଟା ବନ୍ଦ ଅଛି । ତା’ର ଦରଭଙ୍ଗା ଗୋଲ ପେଚ ଭିତରେ କାଠି ଖଣ୍ଡେ ଦେଇ ସେଇଟା ଟାଣି ଖୋଲିଦେଲା ପ୍ରଶାନ୍ତ । ତା’ପରେ ଜଣ ଜଣ କରି ଘର ଭିତରକୁ ପଶିଲେ ।

 

ରବିର ପାଳି ପଡ଼ିଲା ସବ୍‌ବା ଶେଷରେ । ସେ କିନ୍ତୁ ଝରକା ଉପରେ ବସି ରହିଲା । –କ’ଣ ହେଲା ? ଡେରି କୁରୁଚୁ ଯେ ? ଆଲୋକ ଆଶ୍ଚର୍ଯ୍ୟ ହେଇ ପଚାରିଲା । –‘‘କିଛି ଗୋଟେ ଶବ୍ଦ ହେଲା ? ମନେ ହେଲା ଡାଳପତ୍ରର ଖସ୍‌ ଖସ୍‌ ଶବ୍ଦ ।’’ ରବି କାନ ଡେରି ଶୁଣୁଥିଲା । ଆଲୋକବି ଶୁଣିବାକୁ ଚେଷ୍ଟା କଲା ।

 

–‘‘ଠିକ୍‌ କହିଚୁ । କିଏ ଯେମିତି ଡାଳପତ୍ର ଆଡ଼େଇ ଆଗେଇ ଆସୁଚି । ଶୁଣିଲୁନି–ପାଦଶବ୍ଦବି ଶୁଭିଲା ।

 

–‘‘ହୁଏତ ଲୋକଗୁଡ଼ାକ ଏଇଆଡ଼େ ଆସୁଚନ୍ତି । ଶୀଘ୍ର ଭିତରକୁ ଚାଲିଆସ । ସେମାନେ ତୁମକୁ ଦେଖି ନେଇପାରନ୍ତି ।’’ ପ୍ରଶାନ୍ତ କଥା ଶୁଣି ରବି ଘର ଭିତରକୁ ଓହ୍ଳାଇ ପଡ଼ିଲା ।

 

ଘର ଭିତରଟା ବେଶ୍‌ ଅନ୍ଧାର । କିଚ୍‌ମିଚ୍‌ ଶବ୍ଦ କରି ପାଦ ଉପର ଦେଇ ଦୌଡ଼ି ପଳେଇଲେ–ଚୁଚୁନ୍ଦ୍ରା କି ମୂଷା କେଜାଣି । ସ୍ତବ୍ଧ ହେଇ ତିନିଜଣଯାକ ଠିଆହେଇ ପଡ଼ିଲେ କିଛି ସମୟ ଲାଗି ।

 

–‘‘ମୁଁ ଜାଣିନି ତୁ ଶୁଣିଲୁ କି ନାହିଁ । ମୋର ତ ମନେ ହେଲା–ମୁଁ କାହାର ନିଶ୍ୱାସର ଶବ୍ଦବି ଶୁଣିଲି । ଯେମିତି ଧଇଁସଇଁ ହେଇ କିଏ ଜୋର୍‌ରେ ଜୋର୍‌ରେ ନିଶ୍ୱାସ ନେଉଥିଲା । ତେବେ ଶବ୍ଦଟା ଖୁବ୍‌ ପାଖରେ ଭଳି ମନେ ହେଲେବି ଜାଣିହେଲାନି କୋଉ ପଟୁ ଆସିଲା ।’’ ରବି କହିଲା ପ୍ରଶାନ୍ତର ଟର୍ଚ୍ଚ ଆଲୁଅକୁ ଚାହିଁ ।

 

ପ୍ରଶାନ୍ତ ଟର୍ଚ୍ଚଟା ଜଳେଇ ଅନ୍ଧାର ଘରଟାର ଏ କଡ଼ ସେ କଡ଼ ଦେଖୁଥିଲା । ବୁଲି ବୁଲି ଆଲୁଅଟା ପଡ଼ିଲା ଖୋପଟା ଉପରେ । ଦିଶୁଥିଲା ପୁରୁଣା ଘରମାନଙ୍କର ଠଣା ଭଳି, ଠିକ୍‌ ଯେମିତି କହିଥିଲା ଶାନ୍ତନୁ । ସେଥିରେ ଥିଲା ଗୋଟିଏ ଚିତ୍ର–ସିନ୍ଦୂରବୋଳା ମହାକାଳୀଙ୍କ ଚିତ୍ର । ପାଖରେ ଛୋଟ ପିତଳର ଦୀପ ।

 

ଆଲୋକ, ଦୀପଟା ଉଠେଇ ନେଲା । ଆଉ ସାଙ୍ଗେ ସାଙ୍ଗେ ଅଦୃଶ୍ୟ ହେଲା କାନ୍ଥର ସେଇ ଅଂଶଟା । ତା’ ଜାଗାରେ ଦେଖାଗଲା ପ୍ରକାଣ୍ଡ ଗୋଟେ ଫାଙ୍କ ଆଉ ତା’ରି ଭିତର ଦେଇ ଓହ୍ଲେଇ ଯାଇଚି ସିଢ଼ି–ବହୁତ ତଳକୁ ।

 

ରବି କିନ୍ତୁ ଟର୍ଚ୍ଚ ଆଲୁଅରେ ଘରବାଟ ପ୍ରତିଟି ଅଂଶ ବୁଲି ବୁଲି ଦେଖୁଥିଲା । ନାଁ–କିଛି ନାହିଁ । କେବଳ–ନଇଁ ପଡ଼ି ଛୋଟ କାଚ ଖଣ୍ଡେ ଉଠେଇ ନେଲା ସେ । ବୋଧେ ଶାନ୍ତନୁର ଟର୍ଚ୍ଚଟି ପଡ଼ି ଯିବା ପରେ ଏ ଖଣ୍ଡକ ଆସିଚି । ଅବଶ୍ୟ ଆଉ କିଛି ନାହିଁ ସେଠି ।

 

–‘‘ଏଇଥର ଭଣ୍ଡାରଟା ବୁଲି ଦେଖାଯାଉ ।’’ ପ୍ରଶାନ୍ତ କଥା ଶୁଣି ତିନିହେଁ ଆସି ଠିଆ ହେଲେ କାନ୍ଥର ଫାଙ୍କଟା ପାଖରେ । ପ୍ରଥମେ ଓହ୍ଲାଇଲା ପ୍ରଶାନ୍ତ, ତା’ପରେ ପରେ ଆଲୋକ ଆଉ ଶେଷରେ ରବି । ଟର୍ଚ୍ଚର ଆଲୁଅରେ ଚାରିଆଡ଼କୁ ଚାହିଁ ଚାହିଁ, ଯେ କୌଣସି ଶବ୍ଦ ପାଇଁ କାନ ଖୋଲା ରଖି ଆଉ ଯେ କୌଣସି ପ୍ରକାରର ବିପଦ ଲାଗି ପ୍ରସ୍ତୁତ ହେଇ ସେମାନେ ଓହ୍ଲେଇ ଗଲେ-

 

ଶେଷ ପାହାଚରେ ଅଟକିଲା ରବି । ପ୍ରଶାନ୍ତ ଆଉ ଆଲୋକ ଘର ଭିତରକୁ ଓହ୍ଲେଇ ଯାଇ ଠିଆ ହେଇ ପଡ଼ିଲେ । କିନ୍ତୁ କାଇଁ କିଛି ନାହିଁ ତ ? କାଇଁ ଗହମ ଚାଉଳର ବସ୍ତା, ଘିଅ ତେଲର ଟିଣ ଆଉ ଗୁଣ୍ଡ ଦୁଧ ଟିଣ–ଅନ୍ୟାନ୍ୟ ଜିନିଷ । ଘରଟି ସମ୍ପୂର୍ଣ୍ଣ ଖାଲି–ପରିଷ୍କାର ଚକ୍‌ଚକ୍‌ । କୌଣସି ଜାଗାରେ ଟିକେ ଧୂଳିବି ଦେଖିବାକୁ ମିଳିଲାନି । ପରିଷ୍କାର ସିମେଣ୍ଟ ଚଟାଣ ।

 

–‘‘ଆଶ୍ଚର୍ଯ୍ୟ !’’ ପ୍ରଶାନ୍ତ ପାଟିରୁ ବାହାରିଗଲା । ପ୍ରକୃତରେ ଚୁପଚାପ୍‌ ରହିବାର କୌଣସି ଦରକାର ଅଛି–ଏ କଥାବି ମନକୁ ଆସିଲାନି । ଘରଟିରେ ଅନ୍ୟ କେହି ଥିବା ପ୍ରଶ୍ନ ଉଠେନି । କାରଣ ଲୁଚି ରହିବା ଭଳି ଇଞ୍ଚେ ଦେଲେ ଜାଗା ନଥିଲା ସେଠି । –‘‘କିନ୍ତୁ କଥାଟା ଅନ୍ୟ ଦିଗରୁ ଚିନ୍ତା କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ । ଘରଟାରେ ଯଦି କେହି ରହନ୍ତିନି ଆଉ ବହୁଦିନ ଧରି ଘରଟା ବ୍ୟବହାରବି କରାହେଇନି ତାହେଲେ ଏତେ ସଫାସୁତୁରା ଏଇଟା ରହିଲା କେମିତି ? ଉପରର ଘର ଦେଖିଲୁନି–କେତେ ଧୂଳି ଜମି ରହିଚି ?’’ ରବି ଘରଟାର ଗୋଟେ କୋଣରେ ନଇଁ ପଡ଼ି କ’ଣ ଦେଖୁଥିଲା । ଅଳ୍ପ ଧଳା ଚକ୍‌ଚକ୍‌ କରୁଚି–କେଇଟା ମାତ୍ର ଦାନା ପଡ଼ିଚି । କ’ଣ ହେଇପାରେ ଜିନିଷଟା ?–‘‘କଥାଟା କିନ୍ତୁ ସତ–ରବି ଯାହା କହିଲା ।’’ ଆଲୋକ କାନ୍ଥ ପାଖେ ବୁଲି ବୁଲି ଦେଖୁଥିଲା–ଆଉ ଗୋଟେ ଗୁପ୍ତଦ୍ୱାର ନାହିଁ ତ–ଉପରେ ଯେମିତି ଥିଲା ? କାରଣ ଏଠିକି ଆସିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଶାନ୍ତନୁକୁ ଖୋଜି ବାହାର କରିବା । ଏମିତି ଗୋଟେ ଗୁପ୍ତଦ୍ୱାର ଥିବା ଅର୍ଥ, ତା’ ସେପଟେ ଥିବ ଗୋଟେ ଗୁପ୍ତକୋଠରୀ–ଯେଉଁଠି ଲୋକଗୁଡ଼ାକ ରଖିଥିବେ ଶାନ୍ତନୁକୁ । କେଜାଣି କି ଅବସ୍ଥାରେ ଅଛି ସେ ।

 

ପ୍ରଶାନ୍ତ ଚୁପ୍‌ଚାପ୍‌ ଠିଆହେଲା । କ’ଣ ଗୋଟେ ଶବ୍ଦ କାନରେ ବାଜିଲାନି ? ସତେ ଯେମିତି ଗୋଟେ କୋଉଠି କାଠର କିଛି ଗୋଟାଏରେ କିଏ ଧକ୍‌କା ମାରିଲା । ଅଳ୍ପ ସମୟ ପାଇଁ ଶୁଭିଲା–ଧଡ଼୍‌ କରି ଶବ୍ଦଟାଏ ।

 

ଏଥର ଉପର ଘରଟାକୁ ସବୁରି ଫେରିଯିବା ଉଚିତ ନୁହେଁ ? ଧର ଯଦି ସେମାନେ ଉପର ଦୁଆରଟା ବନ୍ଦ କରି ଦିଅନ୍ତି ? ହୁଏତ ସମସ୍ତେ ଏକାଠି ଏଠିକି ଆସିବା ଉଚିତ ହେଇନି । ପ୍ରଶାନ୍ତ କହିଲା–‘‘ଅନ୍ତତଃ ଜଣକୁ ଉପର ଘରେ ଛାଡ଼ି ଆସିଥିଲେ ଭଲ ହେଇଥାନ୍ତା । ଯଦି ସେମାନେ ଦୁଆରଟା ।’’

 

ପୁଣି ସେଇ ଛୋଟ ଶବ୍ଦଟା–ଧଡ଼୍‌ କରି, କାଠରେ କିଛି ଗୋଟେ ବାଜିବାର ଶବ୍ଦ । ଏଥର କିନ୍ତୁ ଶୁଭିଲା ବେଶ୍‌ ଜୋର୍‌ରେ । ତା’ପରେ ଆଉ ଗୋଟେ ଶବ୍ଦ ଶୁଭିଲା । ବେଶ୍‌ ପାଖରେ ବନ୍ଦ ହେଇଗଲା । ସିଢ଼ି ଉପରର ଦୁଆରଟା । ଠିକ୍‌ ଏଇଆ ଆଶଙ୍କା କରିଥିଲା ପ୍ରଶାନ୍ତ । ସେମାନେ ତିନିଜଣଯାକ ତରବର ହେଇ ସିଢ଼ି ଦେଇ ଉଠିଗଲେ–ଦୁଆରଟା ଠେଲି, ଧକ୍‌କା ମାରି ଖୋଲିବାକୁବି ଚେଷ୍ଟା କଲେ । କିନ୍ତୁ–ନା–ଦୁଆର ଖୋଲିଲାନି । ଭାରି କାଠର ମଜଭୂତ୍‌ ଦୁଆର, ସେମାନଙ୍କ ଧକ୍‌କାରେ ଟିକେବି ହଲିଲାନି । ସିଢ଼ି ଉପରେ ଥକ୍‌କା ହେଇ ବସି ପଡ଼ିଲେ ସେମାନେ-। ସେମାନେବି ବନ୍ଦୀ–ହୁଏତ ସେମାନେବି ଆଉ ଏଠୁ ମୁକ୍ତି ପାଇବେନି କି ଫେରି ଯାଇପାରିବେନି ଶାନ୍ତନୁ ଭଳି । ହୁଏତ ସେମାନେ ଏଇଠି ରହିଥିବେ, ଏଇଠି ହଜିଯିବେ ହୁଏତ ଚରିଦିନ ଲାଗି ।

 

ପ୍ରଶାନ୍ତର ମନର କଥା ହୁଏତ ସବୁରି ମନକୁ ଆସିଥିଲା; କିନ୍ତୁ ସେ ମାତ୍ର କେତେ ମିନିଟ୍‌ ପାଇଁ । ପ୍ରଥମେ ହସି ପକାଇଲା ରବି । ‘‘ଘରଟାରେ ଶାନ୍ତନୁ କଥାମତେ ଅନେକ କିଛି ନିଶ୍ଚୟ ଥିଲା । ସେମାନେ ଜିନିଷପତ୍ର ଏଠୁ ନେଇଯାଇଚନ୍ତି । ଘରଟାବି ଓଳେଇ ପରିଷ୍କାର କରିଦେଇଚନ୍ତି-। ତେବେବି ଏ ଘରେ ଯାହା ଥିଲା, ତା’ର ଚିହ୍ନ ରହି ଯାଇଚି ଏଠି । ସେଠି ସେ କୋଣଟାରେ ବର୍ତ୍ତମାନବି କେଇ ଦାନା ଚିନି ପଡ଼ି ରହିଚି ।’’

 

ରବି କଥା ଶୁଣିଥିଲେବି ଅନ୍ୟ ଦିହେଁ ଚୁପ୍‌ଚାପ୍‌ ବସି ରହିଥିଲେ । ଯଦି ଭାନୁ କିଛି କରିଥାଏ–ସେ କଥା ଚିନ୍ତା କରିବାକୁବି ଭୟ ଲାଗୁଥିଲା ।

 

।। ଆଠ ।।

 

ଭାନୁ ବେଶ୍‌ ହାଲିଆ ହେଇ ପଡ଼ିଥିଲା । ତଥାପି ବସିବା କଥା, ବିଶ୍ରାମ ନେବା କଥା ତା’ ମନକୁ ଆସି ନଥିଲା । ବରଂ ବାରମ୍ବାର ମନକୁ ଗୋଟିଏ ଦୁଶ୍ଚିନ୍ତା ଆସି ତାକୁ ଅସ୍ଥିର କରି ପକାଉଥିଲା । ତା’ର ମନେପଡ଼ୁଥିଲା–ଶାନ୍ତନୁକୁ ସେମାନେ ଧରି ନେଇଯାଇଚନ୍ତି । କେଜାଣି କି ଅବସ୍ଥାରେ ଅଛି ସେ । ସବୁଠୁ ଦରକାରୀ କଥା ହେଲା ତାକୁ ମୁକୁଳେଇ ଆଣିବାକୁ ହବ ।

ରମେଶ ଭାଇ ପୋଲିସରେ କାମ କରନ୍ତି ବୋଲି ଜାଣିଥିଲା ସେ । ତାଙ୍କ ଘର ଖୋଜି ସେଠି ପହଞ୍ଚିଲା ପରେ ଭାନୁ ଯଥାସମ୍ଭବ ଅଳ୍ପ କଥାରେ ତାଙ୍କୁ କହିଲା, ଯାହା ଯାହା ଘଟି ଯାଇଥିଲା । ପ୍ରଥମରୁ ତା’ ମନରେ ଯେଉଁ ଭୟ ଥିଲା ଯେ, ରମେଶ ଭାଇ ହୁଏତ ତା’ କଥା ବିଶ୍ୱାସ କରିବେନି–କଥାଟା କହି ସାରିଲା ପରେ ଆଉ ସେ ଭୟ ରହିଲାନି । ରମେଶ ଭାଇ କେବଳ ଯେ ତା’ କଥାକୁ ମନ ଦେଇ ଶୁଣିଲେ ତା’ ନୁହେଁ । ପରେ ପରେ ତାକୁ ସେଇଠି ଅପେକ୍ଷା କରିବାକୁ କହି ସେ ଚାଲିଗଲେ କୁଆଡ଼େ ।

ବସି ବସି ଛଟ୍‌ପଟ୍‌ କରୁଥିଲା ଭାନୁ । ଡେରି ହେଇଯାଉଚି–ବେଶି ଡେରି ହେଇଯାଉନି ତ ? ଧର ଯଦି ସେମାନେ ଶାନ୍ତନୁର କିଛି ଅନିଷ୍ଟ କରନ୍ତି, ଯଦି ସେଠୁ ତାକୁ ଅନ୍ୟ କୋଉଠିକି ନେଇଯାଆନ୍ତି ? ଭାନୁ ଆଉ ଭାବି ପାରିଲାନି–ନାଁ ଆଉ ସେ ବିଷୟରେ ଚିନ୍ତା କରିବନି ସେ ।

କିଛି ସମୟ ପରେ ଫେରି ଆସିଲେ ରମେଶ ଭାଇ–ସାଙ୍ଗରେ ତାଙ୍କର ବିରାଟକାୟ ପୋଲିସ କୁକୁର ‘ବେଗମ୍‌’ । ‘‘ଆଉ ଭାନୁ–ବେଗମ୍‌କୁ ନେଇ ଆସିଲି । ଦେଖିବୁ କେମିତି ଶାନ୍ତନୁକୁ ଖୋଜି ବାହାର କରିବ ସେ ।’’

 

ରମେଶ ବାବୁଙ୍କୁ ସାଙ୍ଗରେ ନେଇ ଭାନୁ ପହଞ୍ଚିଲା ଭୂତକୋଠି ପାଖରେ । ରମେଶବାବୁଙ୍କୁ ଭାନୁ ସେଇ ଚିଠିଟା ଦେଇଥିଲା-ଯୋଉଟା ପ୍ରଥମେ ଶାନ୍ତନୁ ପାଇଥିଲା । ସେଇଟା ‘ବେଗମ୍‌’କୁ ଶୁଙ୍ଘିବାକୁ ଦେଲେ ସେ । କିଛି ସମୟ ପରେ ରାସ୍ତା କଡ଼କୁ ଯାଇ, ପାଦଚଲା ବାଟ ଉପରକୁ ଓହ୍ଲେଇଗଲା କୁକୁରଟା । ତା’ ବେକର ଚେନ୍‌ଟା ଧରି ରମେଶବାବୁ ବି ଓହ୍ଲେଇଲେ ରାସ୍ତା କଡ଼କୁ, ପଛେ ପଛେ ଭାନୁ ।

 

କୁକୁରଟା ଖୁବ୍‌ ଜୋର୍‌ରେ ଧାଇଁ ଚାଲିଥିଲା । ପାଦଚଲା ବାଟଟା ଆଗେଇ ଯାଇଥିଲା ବୁଦିବୁଦିଆ ଜଙ୍ଗଲ ଦେଇ । ତା’ ଚେନ୍‌ଧରି ତା’ ପଛେ ପଛେ ଯାଉ ଯାଉ ରମେଶବାବୁଙ୍କ ସତର୍କ ଆଖି ଚାରିଆଡ଼େ ଘୁରି ବୁଲୁଥିଲା । ଭାନୁକୁ ଅବଶ୍ୟ କହି ନଥିଲେ ସେ । ପ୍ରକୃତରେ କିନ୍ତୁ ଏଇ ଅପରାଧୀ ଦଳଟି ସଂପର୍କରେ ଅନେକ କଥା ସେ ଜାଣିଥିଲେ ।

 

ସମସ୍ତେ ଜାଣନ୍ତି ସେ କାମ କରନ୍ତି ପୋଲିସ୍‌ରେ । ଜାଣିଶୁଣି ଅଳ୍ପଦିନ ତଳେ ତାଙ୍କୁ ଭାର ଦିଆଯାଇ ଥିବା କାମଟି କଥା କାହାରିକୁ ସେ କହି ନାହାନ୍ତି । କଥାଟା ବି ତା’ର ଗୁରୁତ୍ୱ ଦୃଷ୍ଟିରୁ ଖୁବ୍‌ ଗୋପନୀୟ । ସୁତରାଂ ସେ କଥା ଯେତେ କମ୍‌ ଲୋକ ଜାଣିବେ ସେତିକି ଭଲ ।

 

ତାଙ୍କୁ ଭାର ଦିଆ ଯାଇଥିଲା–ଗୋଟିଏ ବିଶେଷ ଧରଣର ଅପରାଧ ବିଷୟରେ ଅନୁସନ୍ଧାନ କରିବାକୁ । ଏ ଅପରାଧ ଥିଲା ଚୋରା କାରବାର ସଂପର୍କୀୟ । ଗୋଟିଏ ଅପରାଧୀ ଦଳ ସହରର କେତେକ ଅସାମାଜିକ ଲୋକଙ୍କ ସାହାଯ୍ୟରେ ଦରକାରୀ ଜିନିଷପତ୍ରର ଚୋରା କାରବାର କରୁଥିଲେ । ଖବରଟି ଅନେକ ଦିନୁ ପାଇଥିଲେବି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରୁ ନଥିଲା କାରଣ ହେଲା ସେମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣର ଅଭାବ ।

 

ବିଶେଷ କରି ଖବର ମିଳିଥିଲା ଯେ କାମଟିରେ ସହରର କେତେକ ଜଣାଶୁଣା ଲୋକ ମଧ୍ୟ ଦଳଟି ସହିତ ସଂପୃକ୍ତ । ସେଇଥିପାଇଁ ରମେଶବାବୁଙ୍କୁ ଆଦେଶ ମିଳିଥିଲା–ବିଷୟଟିକୁ ସଂପୂର୍ଣ୍ଣ ଗୁପ୍ତ ରଖିବାକୁ । ତଦନ୍ତ ସଂପୂର୍ଣ୍ଣ ହେଲାପରେ, ଯଦି ଯଥେଷ୍ଟ ପ୍ରମାଣ ମିଳେ ତେବେ ଯାଇ ସେ ସଂପର୍କରେ କାର୍ଯ୍ୟାନୁଷ୍ଠାନ କରାଯିବ ।

 

ସେଇଥିପାଇଁ ଭାନୁଠାରୁ କଥାଟା ଶୁଣିବା ପରେ ବିଷୟଟିକୁ ଅନୁସନ୍ଧାନ କରି ଦେଖିବାକୁ ସ୍ଥିର କରିଥିଲେ ସେ । ଅନ୍ଧାରିଆ, କଣ୍ଟା ବୁଦା ପାଖ ଦେଇ, ଖାଲଢିପ ରାସ୍ତାରେ ଆଗେଇ ଯାଉ ଯାଉ ପୁଣିଥରେ କଥାଟା ମନକୁ ଆସିଲା ତାଙ୍କର । ସତ କଥା ତ–ଜିନିଷପତ୍ର ଲୁଚାଇ ରଖିବା ଲାଗି ଭୂତକୋଠି ତ ଗୋଟିଏ ଅତି ସୁବିଧାଜନକ ଜାଗା । ଏକେ ପୁରୁଣା, ଭଙ୍ଗା ଘରଟା, ଯେ କୌଣସି ମୁହୂର୍ତ୍ତରେ କୁଢ଼େଇ ହେଇ ପଡ଼ିବାର ଭୟ ଅଛି । ତା’ପରେ ପୁଣି ଐିତିହାସିକ, ପ୍ରାୟ ପ୍ରସିଦ୍ଧ ଭୂତମାନଙ୍କ ବାସସ୍ଥାନ ଭାବରେ ଘରଟା ଖୁବ୍‌ ଜଣାଶୁଣା । ସାଧାରଣତଃ ଏହି ସବୁ କାରଣରୁ ସେଠିକି କେହି ଯିବା କଥା ଚିନ୍ତାବି କରନ୍ତିନି । ଏଭଳି ଗୋଟେ ଜାଗା ଅଛି ହାତ ପାହାନ୍ତିରେ; ସୁତରାଂ ତା’ର ପୂର୍ଣ୍ଣ ସୁଯୋଗ ଲୋକଗୁଡ଼ାକ ନେଇଥିବା ବିଚିତ୍ର କ’ଣ ?

 

ଝୁଣ୍ଟି ପଡ଼ୁ ପଡ଼ୁ ଅଟକି ଗଲା ଭାନୁ । କୁକୁରଟା ଭୂତକୋଠିର ବାଁପଟର କାନ୍ଥରେ ଥିବା ଛୋଟ ଗୋଟେ ଦୁଆର ପାଖେ ଅଟକି ବ୍ୟସ୍ତ ଭାବରେ ଏପଟ ସେପଟ ଶୁଙ୍ଘି ଶୁଙ୍ଘି ବୁଲୁଚି ସେ । ଭାନୁ ଟର୍ଚ୍ଚ ପକେଇ ପକେଇ ଦେଖୁଥିଲା । ନାଁ–କୋଳିଗଛ ନାହିଁ ଏପଟେ । ତା’ ମାନେ–ଏଇଟା କୋଳିଗଛ ପାଖ ଦୁଆର ବା ଝରକା ନୁହେଁ, ଯାହା କଥା କହିଥିଲା ଶାନ୍ତନୁ । ଏ ଦୁଆରଟା ଛୋଟ ହେଲେବି ଦିଶୁଚି ବେଶ୍‌ ମଜଭୂତ୍‌ । ଦିଶୁଚି ସିଢ଼ି ବା ଗାଧୁଆ ଘରର ଦୁଆର ଭଳି । ରମେଶବାବୁ ଧୀରେ ଠେଲି, ପରୀକ୍ଷା କରି ଦେଖୁଥିଲେ–ଦୁଆରଟା ଖୋଲିବ କି ନାହିଁ ?

 

–‘‘ମୋର ମନେହଉଚି’’–ଭାନୁର କଥା ଶେଷ ହେଇପାରିଲାନି । ତା’ କାନ ପାଖ ଦେଇ କ’ଣ ଗୋଟେ ଚାଲିଗଲା ସାଏଁ କରି–ସତେ ଯେମିତି ଝଲକାଏ ଝଡ଼ ପବନ । ରମେଶବାବୁ ତା’ ହାତ ଧରି ଚଟ୍‌ କରି ପଡ଼ିଗଲେ ମାଟି ଉପରେ । ମୋର ବି ସେଇଆ ମନେ ହେଉଥିଲା–ଏବେ ଜଣାଗଲା ଯେ ଆମେ ଆସିଚୁ ଠିକ୍‌ ବାଟରେ ।’’ ରମେଶବାବୁଙ୍କ କଥା ଅନୁସାରେ କୁକୁରଟା ବି ଏ ମଧ୍ୟରେ ବସି ସାରିଚି । ଏଇଥର ରମେଶବାବୁ ପ୍ୟାଣ୍ଟ୍‍ର ଡାହାଣ ପକେଟ୍‌ରୁ କାଢ଼ିଲେ କଳା ଜିନିଷଟାଏ । ଆଉ କେଜାଣି କାହିଁକି ଆଗରୁ ଜମା ଦେଖି ନଥିଲେ ବି, ଭାନୁ ଜାଣିପାରିଲା–ସେଇଟା ରିଭଲ୍‌ଭର । ‘ତୋ କାନ ପାଖ ଦେଇ ଚାଲିଗଲା ଗୁଳିଟା’–ମାଟି ଉପରେ ପ୍ରାୟ ଗୁରୁଣ୍ଡିଲା ଭଳି ଯାଇ ରମେଶବାବୁ ଚାହିଁଲେ ଏକତାଲାର ଗୋଟେ ଝରକା ଆଡ଼େ । କିନ୍ତୁ ବେଶ୍‌ କିଛି ସମୟ ଚୁପ୍‌ଚାପ୍‌ ବସି ରହିଲେ ସେ । –‘‘କିନ୍ତୁ ସେମାନେ କେମିତି ଜାଣିଲେ ଯେ ଆମେ ଏଇଠି ଅଛୁ ?’’ ଭାନୁ କୌତୁହଳୀଭାବେ ପଚାରିଲା । –‘‘ତୁ ଯେ ଟର୍ଚ୍ଚଟା ଜାଳିଲୁ–ତା’ ଛଡ଼ା ସେମାନେ ହୁଏତ ଆମ ଆସିବାକୁ ଅପେକ୍ଷା କରୁଥିଲେ । ତୋର ଅନ୍ୟ ତିନିଜଣ ସାଙ୍ଗ ଏଠିକି ଆସିନାହାନ୍ତି ତ ?’’ ରମେଶବାକୁ କହିଲେ–ଉପରର ସେଇ ଝରକା ଉପରୁ ଆଖି ନ ଫେରାଇ । ‘‘ଜାଣେନି–ସେମାନେ ଏଠିକି ଆସିବା ଅସମ୍ଭବ ନୁହେଁ ଅବଶ୍ୟ ।’’

 

ଏଥର ଉଠି ପଡ଼ିଲେ ରମେଶବାବୁ । ଦୁଆର ସାମ୍ନାରେ ଅଳ୍ପ ସମୟ ଠିଆ ହେଇ ଦେହର ସମସ୍ତ ଜୋର୍‌ ଦେଇ ଧକ୍‌କା ମାରିଲେ ସେ ଦୁଆରକୁ । ଦ୍ୱିତୀୟ ଧକ୍‌କାରେ ଖୋଲିଗଲା ଦୁଆରଟା । ଆଉ ପ୍ରାୟ ଏକ ଦୌଡ଼ାରେ ଘର ଭିତରକୁ ପଶିଗଲେ ଭାନୁ ଆଉ ରମେଶବାବୁ–ପଛେ ପଛେ ପୋଲିସ କୁକୁର ବେଗମ୍‌ ।

 

ଘରଟି ଛୋଟ–ବାଟ ଘର ଭଳି । ଯେଉଁ ବାଟେ ସେମାନେ ଆସିଲେ ବାହାରକୁ ସେଇଟି, ଆଉ ଠିକ୍‌ ସେମିତି ଆଉ ଗୋଟାଏ ଭିତର ପଟକୁମାତ୍ର ଏଇ ଦିଇଟି ଦୁଆର ସେଥିରେ । ଭିତର ପଟ ଦୁଆର ଝୁଲୁଚି ପ୍ରକାଣ୍ଡ ବଡ଼ କୋଲପ । ଦୁଆରଟା ଆଗରେ ଠିଆ ହେଇ କିନ୍ତୁ ‘ବେଗମ୍‌’ ଅସ୍ଥିର ଭାବରେ ଶୁଙ୍ଘୁଥିଲା ପାଖ ଆଖ । ହୁଏତ ଯେଉଁ ଗନ୍ଧ ତାକୁ ଏତେ ବାଟ ଟାଣି ଆଣିଚି–ସେଇ ଗନ୍ଧ ଏଇଠି ସେ ପାଉଚି ବେଶି ।

 

ରମେଶବାବୁ କୋଲପଟାକୁ ଟଣାଟଣି କରି ଖୋଲିବାକୁ ଚେଷ୍ଟା କରୁଥିଲେ । ଶେଷକୁ ପକେଟରୁ ଛୋଟ ଛୁରୀଟିଏ କାଢ଼ିଲେ । ତା’ରି ସାହାଯ୍ୟରେ, କୋଲପ ଯେଉଁ କଡ଼ାରେ ଝୁଲୁଥିଲା, ତା’ରି ପେଚଗୁଡ଼ା ଖୋଲି ବସିଲେ । ଚାରିଆଡ଼େ ନିସ୍ତବ୍ଧ–କେବଳ ଶୁଭୁଥିଲା ‘ବେଗମ୍‌’ ନିଶ୍ୱାସର ଶବ୍ଦ । ଭାନୁର ଟର୍ଚ୍ଚ ଆଲୁଅରେ ରମେଶବାବୁ ପ୍ରାୟ ନିଃଶବ୍ଦରେ କାମ କରୁଥିଲେ । କିନ୍ତୁ ଧାଇଁ ଧାଇଁ କୁକୁରଟା କ୍ଳାନ୍ତ ହେଇଥିଲା–ଆଉ ଧଇଁସଇଁ ହେଉଥିଲା ।

 

ବେଶ୍‌ କିଛି ସମୟ ଧରି ଚେଷ୍ଟା କଲା ପରେ–କଡ଼ା ସହିତ ଖୋଲି ହେଇଗଲା କୋଲପଟା । ଦୁଆର ଠେଲି ପାଖ ଘରେ ପଶିଗଲେ ସେମାନେ । ଘର ମଝିରେ ତଳକୁ ଓହ୍ଲେଇ ଯାଇଚି ଗୋଟିଏ ସିଢ଼ି । କାଠ ତିଆରି ସେଇ ସିଢ଼ିରେ ସାବଧାନ ହେଇ ଓହ୍ଲେଇବାକୁ ଆରମ୍ଭ କଲେ ସେମାନେ ।

 

।। ନଅ ।।

 

ଶାନ୍ତନୁର ଧୀରେ ଧୀରେ ଚେତା ଫେରି ଆସୁଥିଲା । ମୁଣ୍ଡଟା ଟିକେ ହଲିଗଲା କ୍ଷଣି ଭୀଷଣ ଜୋର୍‌ରେ ବିନ୍ଧି ଉଠିଲା ବୋଲି, ସେ ପୁଣି କିଛି ସମୟ ହଲଚଲ ନ ହେଇ ପଡ଼ି ରହିଲା । ମୁଣ୍ଡଟା ଭାରି ଦରଜ ଲାଗୁଚି କେମିତି ହେଲା ?

 

ମନେପକେଇବାକୁ ଚେଷ୍ଟା କରୁଥିଲା ସେ । ଏ କୋଉଠି ସେ ଅଛି ? ଇଏତ ତାଙ୍କ ଘର ନୁହେଁ ? ସେ ଅଳ୍ପ ହଲଚଲ ହେଇ ଉଠି ବସିବାକୁ ଚେଷ୍ଟା କଲା । ଅଳ୍ପ ଚେଷ୍ଟା ପରେ ଉଠି ବସିହେଲା ସତ; କିନ୍ତୁ ମୁଣ୍ଡ ବୁଲେଇ ପଡ଼ି ଯାଉ ଯାଉ ବହୁ କଷ୍ଟରେ ରହିଗଲା ସେ ।

 

କୋଉଠି ଅଛି ସେ ? ପୁଣିଥରେ ମନକୁ ଆସିଲା କଥାଟା । ଛୋଟ ଘରଟାଏ–କାନ୍ଥ ଆଉ ଚଟାଣରେ ପ୍ରଚୁର ଧୂଳି । ଅନ୍ଧାରରେ ଆଉ ବିଶେଷ କିଛି ଦେଖିବାର ଉପାୟ ନଥିଲା । ତଥାପି କାନ୍ଥ ପାଖେ ପାଖେ ହାତରେ ଛୁଇଁ ଛୁଇଁ ଘେରେ ବୁଲି ଆସିଲା ସେ । କାନ୍ଥରେ ଧୂଳି, ଅଳନ୍ଧୁ ଆଉ ବୁଢ଼ୀଆଣି ଜାଲକୁ ଛାଡ଼ି ଦେଲେ–ଅଛି ଗୋଟିଏ ଦୁଆର ଆଉ ଖୋପ ଭଳି ଛୋଟ ଗୋଟିଏ ଝରକା । ଦୁଆରଟା ବାହାର ପଟୁ ବନ୍ଦ–ତାକୁ ଖୋଲିବାକୁ ଯାଇ ହଲେଇଲା ଶାନ୍ତନୁ । କିନ୍ତୁ ଟିକେ ହଲିଗଲେବି ଖୋଲିଲାନି ସେଇଟା । ହତାଶ ହେଇ ପୁଣିଥରେ ଆସି ଖଟ ଉପରେ ବସି ପଡ଼ିଲା ସେ ।

 

ସବୁ କଥା ଧୀରେ ଧୀରେ ମନେପଡ଼ୁଥିଲା ତା’ର । ଭୂତକୋଠି ଆଗର ସେଇ ଛାୟାମୂର୍ତ୍ତି, ଭୂତକୋଠି ଭିତରକୁ ଆସି ସେ ଦେଖିଥିଲା ଗୁପ୍ତଭଣ୍ଡାର–ସବୁ ତା’ର ମନେପଡ଼ିଗଲା । ଆଉ ଗୋଟିଏ କଥା ବି ମନେପଡ଼ିଗଲା–ଶନିବାର ସକାଳୁଆ ସ୍କୁଲ ବୋଲି ସକାଳୁ ଅଳ୍ପ ଜଳଖିଆ ଖାଇ ବାହାରି ଥିଲା ସେ । ବର୍ତ୍ତମାନ ରାତି ହେଲାଣି ଆସି । ଭୋକରେ ପେଟ ତା’ର ଜଳୁଥିଲା । ଚାରିଆଡ଼କୁ ଚାହିଁ ଚାହିଁ ଦେଖୁଥିଲେ ବି ଉଠି ଯାଇ କିଛି ଗୋଟେ କରିବା କଥା ଚିନ୍ତା କରିବା ବି କଷ୍ଟକର ଥିଲା ।

 

ଘର ଭିତରେ ଖଟଟି ଥିଲା ଏକମାତ୍ର ଜିନିଷ ତା’ରି ଉପରେ ଅଚେତା ହେଇ ପଡ଼ିଥିଲା ସେ । ତା’ରି ଉପରେ ବର୍ତ୍ତମାନ ସେ ବସିଚି । ଏଇଠି ସେମାନେ ତାକୁ ବନ୍ଦୀ କରି ରଖିଚନ୍ତି । ହାତଗୋଡ଼ କିନ୍ତୁ ବନ୍ଧା ଯାଇନି ତା’ର କାହିଁକି ଛୋଟ ପିଲା ବୋଲି ସେ କଥା ଭାବିନାହାନ୍ତି ଲୋକଗୁଡ଼ା ।

 

ଅବଶ୍ୟ ହାତ ଗୋଡ଼ ଖୋଲା ରହି ତା’ର ଯେ ଅଧିକା କିଛି ସୁବିଧା ହେଉଚି, ଏମିତିବି ନୁହେଁ । ହସ ମାଡ଼ିଲା ତାକୁ । ଗପ ବହିରେ ସିନା ଗୋଏନ୍ଦାମାନେ ହାତ ଗୋଡ଼ ବନ୍ଧା ଥିଲେବି ମୁକୁଳି ଯାଇପାରନ୍ତି ଅମୁହାଁ ପଥରଘରୁ । ଏଇ ତ ଆଉ ଗପ ନୁହେଁ । ଅନ୍ୟ କେହି ଦୁଆର ନ ଖୋଲିଲେ ଏଠୁ ବାହାରିବା ତା’ ପକ୍ଷରେ ପ୍ରାୟ ଅସମ୍ଭବ ।

 

ଉଃ–ପୁଣିଥରେ ପେଟ କଁ କଁ କରି ଉଠିଲା ତା’ର । କି ଭୋକ । ଆଚ୍ଛା–ଘର ଭିତରେ ବନ୍ଦ କରି ରଖିଲେ ବୋଲି କ’ଣ ଖାଇବାକୁ ଦେବେନି ? ଶାନ୍ତନୁକୁ ବିରକ୍ତି ଲାଗୁଥିଲା । କ’ଣ କରାଯାଇପାରେ ?

 

ଦୁଆର ବା ଝରକା ଖୋଲିବା ତା’ ପକ୍ଷରେ ସମ୍ଭବ ନୁହେଁ ? ଏକଥା ସତ; କିନ୍ତୁ ଯଦି ସେ ଏମିତି କିଛି କରେ, ଯାହା ଫଳରେ–କ’ଣ ହେଇଚି ବୋଲି ଦେଖିବାକୁ ସେମାନେ ଦୁଆର ଖୋଲି ଆସନ୍ତି ! ଶାନ୍ତନୁ ମନେ ପକଉଥିଲା । ଘର ଭିତରେ ସେମିତି କିଛି ନାହିଁ–ଯୋଉଥିରେ ଦୁଆରଟାକୁ ବାଡ଼େଇ ପାରିବ ସେ । କିନ୍ତୁ– ।

 

ଉଠି ଠିଆ ହେଲା ସେ । ଘରେ ଅଛି ମାତ୍ର ଗୋଟିଏ ଜିନିଷ–ବେଶ୍‌ ଭାରି ଏଇ ଖଟଟା-। ଏଇଟାକୁ ଦେଇ କିଛି କରାଯାଇ ପାରିବନି ? ଅନ୍ତତଃ ତାକୁ ଘୋଷାଡ଼ି ନେଇ ଝରକାର ଖୋପଟା କେତେ ଉଚ୍ଚରେ ଅଛି–ତା’ର ଉପରେ ଚଢ଼ି ଦେଖି ହେବ । ଶାନ୍ତନୁ ଦେହର ସବୁ ଜୋର୍‌ ଦେଇ ଖଟଟା ଟାଣିଲା–ଟାଣି ଟାଣି ନେବାକୁ ଚେଷ୍ଟାକଲା ସେଇ ଝରକା ତଳକୁ । କିଏ ଜାଣେ ? ଯଦି ଝରକାଟା ଖୋଲା ଥାଏ ବା କୌଣସି ପ୍ରକାରେ ଖୋଲି ହୁଏ ।

 

ନାଁ–ଝରକାଟା ଖୋଲାବି ନଥିଲା, ଖୋଲି ହେଲାନି ବି । ତେବେ ଉପାୟ ? ସେ ପୁଣି କେତେ ମିନିଟ୍‌ ଲାଗି ବସି ପଡ଼ିଲା ଖଟ ଉପରେ ।

 

ଖଟଟା ଘୋଷାଡ଼ିବାକୁ ଯାଇ ଶବ୍ଦ ହେଲା–ବାହାରେ କେହି ଜଗିଥିଲେ, ନିଶ୍ଚୟ ଶବ୍ଦଟା ତା’ କାନରେ ପଡ଼ିଥା’ନ୍ତା । ଆଉ ଶବ୍ଦଟା କାନରେ ପଡ଼ିଥିଲେ–ବ୍ୟାପାର କ’ଣ ବୋଲି ଦେଖିବାକୁ ନିଶ୍ଚୟ ସେ ଏ ଘରକୁ ଆସି ଥାଆନ୍ତା । ଏ ଘର ଭିତରକୁ ଆସିବାକୁ ହେଲେ–ଦୁଆରଟା ନ ଖୋଲି ଗତି ନାହିଁ । ଅଥଚ–ଦୁଆର ବି ଖୋଲିନି, କେହିବି ଆସିନାହାନ୍ତି । ସୁତରାଂ ଧରିବାକୁ ହେବ, ଶବ୍ଦଟା ସେମାନଙ୍କର କାନରେ ପଡ଼ିନି ।

 

ପୁଣିଥରେ ଚେଷ୍ଟା କରାଯାଉ–ଏଥର ଦୁଆରଟା ଖୋଲିବ କି ନାହିଁ ଦେଖିବାକୁ ହେବ । ଶାନ୍ତନୁ ମୁଣ୍ଡରେ ପୁଣିଥରେ ବୁଦ୍ଧିଟିଏ ଆସିଲା । ଦୁଆରଟାକୁ ଧକ୍‌କା ଦେବାକୁ ସେ ବ୍ୟବହାର କରିବ ଏଇ ଖଟଟା । ସେଇ ଖଟଟାକୁ ସିଧା କରି ପୁଣିଥରେ ଠେଲିବାକୁ ଆରମ୍ଭ କଲା । ଏଥର ସେ ଖଟଟା ଠେଲି ଠେଲି ନେଲା ଦୁଆର ଆଡ଼େ । ଖଟଟା ଘୋଷାଡ଼ିବାକୁ ଯାଇ ଭାରି କ୍ଳାନ୍ତ ଲାଗୁଥିଲା ତାକୁ, କିନ୍ତୁ ସେ କଥା ମନକୁ ଆଣିଲାନି ସେ । ଏଥର ଶବ୍ଦଟା ହେଲା ବେଶ୍‌ ବଡ଼ ଧରଣର । ଜାଣିଶୁଣି ଯଥାସମ୍ଭବ ବେଶି ଶବ୍ଦ ସେ କରୁଥିଲା । ପ୍ରଚଣ୍ଡ ଜୋର୍‌ରେ ଖଟଟା ବାଜିଲା ଯାଇ ଦୁଆର ଉପରେ । ପୁଣି ଗୋଟେ ପଟକୁ ଟାଣି ନେଇ ଶାନ୍ତନୁ ଅପେକ୍ଷା କଲା ଖଟ ଉପରେ ବସି ବସି ।

 

ଶବ୍ଦଟା ବାହାରକୁ ଶୁଭିଲା କି ନାହିଁ ? ତା’ର ତ ମନେହେଲା–ଘରର କାନ୍ଥ, ଚଟାଣ ଏ ସବୁ ଥରି ଉଠିଲା ସେ ଶବ୍ଦରେ । ତଥାପି ଚାରିପଟୁ ନିବୁଜ ହେଇ ବନ୍ଦ ଏ ଘରଟା । କେଜାଣି–ବାହାରକୁ ଶବ୍ଦ ଯାଇଥିବ କି ନାହିଁ ।

 

ମନ ଦେଇ ଶୁଣୁଥିଲା ବୋଲି ଶୁଣିପାରିଲା ସେ । ଦୁଆର ପାଖେ କିଛି ଗୋଟେ ଶବ୍ଦ ହେଲାନି ? ମନେ ହେଲା ଦୁଆରର ବାହାର ପଟେ–କଡ଼ାଦିଟା ହଲିଲେ ଯେମିତି ଶୁଭନ୍ତା, ଶୁଭିଲା ଠିକ୍‌ ସେମିତି ବୋଧେ ଦୁଆର ଖୋଲା ଯାଉଚି । ବିଶ୍ୱାସ କରିବାକୁ ସାହସ ନ ହେଲେବି ମନକୁ ଆସିଲା କଥାଟା । ହଁ–ଦୁଆର ଖୋଲିଗଲା । ହାତରେ ଲଣ୍ଠନ ଧରି ଯେଉଁ ଲୋକଟା ଠିଆ ହୋଇଥିଲା ସେ ବୋଧେ ଶାନ୍ତନୁକୁ ଦେଖିପାରିଲାନି–ଖଟ ପଛଆଡ଼େ ଠିଆ ହେଇଥିଲା ଶାନ୍ତନୁ । କିନ୍ତୁ ତାକୁ ଶାନ୍ତନୁ ଠିକ୍‌ ଚିହ୍ନି ପାରିଲା । ଭୂତକୋଠି ଆଗ ଦୋକାନର ସେଇ ଦୋକାନୀଟା–ଚିନାବାଦାମ କିଣିବାକୁ ମାଗିବାରୁ ଯେ ତାକୁ ଲେମନ୍‍ ଜୁସ୍‍ ଯାଚିଥିଲା ।

 

ଶାନ୍ତନୁ କିନ୍ତୁ ଠିକ୍‌ କରିସାରିଥିଲା–କ’ଣ କରିବାକୁ ହେବ । ଲୋକଟା ଘର ଭିତରକୁ ଆଉ ଖଟର ବେଶ୍‌ ପାଖକୁ ଆସିଚି କି ନାହିଁ–ପ୍ରକାଣ୍ଡ ଶବ୍ଦ କରି ଖଟଟା ତା’ ଉପରେ ପଡ଼ିଗଲା । ଶାନ୍ତନୁ ଆଉ ଅଟକିନି, ଖୋଲା ଦୁଆର ବାଟେ ବାହାରି ପଡ଼ିଲା ସେ । ତା’ର ଆଖି ପଡ଼ିଗଲା–କାଠ ସିଢ଼ି ଦେଇ ଆଉ ଗୋଟାଏ ଲୋକ ଓହ୍ଲେଇ ଆସୁଚି । ଦୂରରୁ ଆଉ କେତେଟା ପାଦଶବ୍ଦବି ଶୁଭୁଥିଲା । ବୋଧେ ସେମାନେ ସମସ୍ତେ ଶବ୍ଦଟା ଶୁଣିଛନ୍ତି । ଶୁଣିବା କଥା– ।

 

କାନ୍ଥକୁ ଲାଗି ଠିଆ ହେଇଥିଲା ଶାନ୍ତନୁ । ଅନ୍ଧାର ଯୋଗୁଁ ଲୋକଟା ତାକୁ ଦେଖିପାରିଲାନି । ବେଶ୍‌ ଜୋରରେ ଦୌଡ଼ି ଯାଇ ସେ ପଶିଗଲା ଘର ଭିତରକୁ । ଶାନ୍ତନୁ ଧୀର କରି ଫାଳିକିଆ ଦୁଆରଟି ଆଉଜେଇ ଆଣି ଶିକୁଳୀ ଦେଇଦେଲା ।

 

ବୁଲିପଡ଼ି ସେ ଦେଖିଲା–ଟର୍ଚ୍ଚର ଆଲୁଅଟି ମଧ୍ୟ ବୁଲି ଆସି ସ୍ଥିର ହେଇ ଗଲା ତା’ରି ଉପରେ । ‘‘ଶାନ୍ତନୁ’’–ଭାନୁର କଣ୍ଠସ୍ୱର । ଶାନ୍ତନୁ ଧାଇଁ ଯାଇ ଭାନୁକୁ କୁଣ୍ଢେଇ ପକେଇଲା ।

 

–‘‘ଭଗବାନଙ୍କୁ ଧନ୍ୟବାଦ–ତୋର କିଛି ଅନିଷ୍ଟ କରିନାହାନ୍ତି ସେମାନେ ।’’ ଭାନୁ ଗଳାଟା କେମିତି ମୋଟା ଆଉ ଅସ୍ୱାଭାବିକ ଶୁଭିଲା । ଭାନୁ–ଯେ ସବୁ ଦିନ ସବୁ ଜିନିଷକୁ ହସି ଉଡ଼େଇ ଦିଏ, ଅତି ଛୋଟ ବୟସକୁ ଛାଡ଼ି ଦେଲେ ଆଉ କେବେ କାନ୍ଦିଚି ବୋଲି ଯାହାର ମନେପଡ଼େନି, ସେଇ ଭାନୁର ଗାଲ ଉପର ଦେଇ ଦି’ଧାର ଲୁହ ଗଡ଼ି ପଡ଼ିଲା । ରକ୍ଷା ହେଇଚି–ଅନ୍ଧାର ଯୋଗୁଁ କେହି ଦେଖିପାରି ନାହାନ୍ତି ।

 

ବନ୍ଦ ଦୁଆର ଆଗରେ ‘ବେଗମ୍‌’ କୁକୁରଟା ଅସ୍ଥିର ଭାବରେ ଘୁରି ବୁଲୁଥିଲା । ମଝିରେ ସେ ଚେଷ୍ଟା କରୁଥିଲା ଦୁଆରଟାକୁ ଖୋଲି ଦେବାକୁ । ରମେଶବାବୁ ତାକୁ ଆଉଁସି ସେଇ ଦୁଆର ଆଗରେ ଜଗାଇଦେଲେ, ତା’ପରେ ଭାନୁ ଶାନ୍ତନୁଙ୍କୁ ଧରି ପୁଣିଥରେ ଆଗେଇ ଗଲେ । ଏଥର ଦେଖିବାକୁ ହେବ ଭଣ୍ଡାରଘରଟା, ଯେଉଁଠୁ ପ୍ରମାଣ ସଂଗ୍ରହ କରି ଲୋକଗୁଡ଼ାଙ୍କୁ ଶାସ୍ତି କରିବାକୁ ହେବ ।

 

ଶାନ୍ତନୁ ବାଟ ଦେଖେଇ ଦେଲା । ଯେଉଁ ବାଟରେ ପ୍ରଥମେ ଭୂତକୋଠି ଭିତରକୁ ଆସିଥିଲା ସେ, ସେଇ ବାଟ ଦେଇ ଭାନୁ ଆଉ ରମେଶବାବୁଙ୍କୁ ନେଇ ସେ ପହଞ୍ଚିଲା ଗୁପ୍ତଦ୍ୱାର ପାଖରେ । ତା’ପରେ ସିଢ଼ିରେ ଓହ୍ଲେଇ ସେମାନେ ପହଞ୍ଚିଲେ ଗୁପ୍ତ କୋଠରୀରେ–ସେଇଟା ଗୁପ୍ତଭଣ୍ଡାର । କିନ୍ତୁ ଇଏ କ’ଣ ?

 

ଲୋକମାନଙ୍କର ଦୈନନ୍ଦିନ ବ୍ୟବହାରର ଯେଉଁ ଜିନିଷପତ୍ର ଦିନେ ସେଠି ଦେଖିଥିଲା ଶାନ୍ତନୁ, ଆଜି ସେ ସବୁ ନାହିଁ । କିନ୍ତୁ ତା’ ବୋଲି ଖାଲି ନଥିଲା ସେ ଘର । ଥିଲେ ପ୍ରଶାନ୍ତ, ଆଲୋକ ଆଉ ରବି । ରବି ରମେଶବାବୁଙ୍କୁ ନେଇ ଦେଖେଇ ଦେଲା–କାନ୍ଥ ପାଖରେ ଯେଉଁଠି ପଡ଼ିଥିଲା ଚିନିଦାନା ଆଉ ଅନ୍ୟାନ୍ୟ ଜିନିଷ ।

 

ପୋଲିସ ନେଇ ଲୋକଗୁଡ଼ାଙ୍କୁ କଡ଼ା ପହରାରେ ହାଜତ୍‌କୁ ପଠାଇବାକୁ ବେଶି ସମୟ ଲାଗି ନଥିଲା । ତେବେ ପରେ ଆଉ ଦି’ଦିନ ପରିଶ୍ରମ କରି, ରମେଶବାବୁ ଅନ୍ୟ କେତେ ଜଣ ଅପରାଧୀ ଓ ଟ୍ରକଭର୍ତ୍ତି ଜିନିଷପତ୍ର ଉଦ୍ଧାର କରିଥିଲେ ।

Image